ୱାଶିଂଟନ୍: ଆମେରିକୀୟ ରାଜ୍ୟ ମିଶିଗନର ସର୍ବବୃହତ ସହର ଡେଟ୍ରୋଇଟ୍ ନିକଟରେ ଶନିବାର ଦିନ ଏକ ୱାର୍ଟର ପାର୍କରେ ଗୁଳିମାଡ଼ ହୋଇଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଶିଶୁ ସମେତ ମୋଟ ୮ ଜଣ ଆହତ ହୋଇଛନ୍ତି। ଏହି ଗୁଳିମାଡ଼ ଘଟଣା ରୋଚେଷ୍ଟର ହିଲ୍ସର ଚିଲଡ୍ରେନ୍ ୱାର୍ଟର ପାର୍କରେ ହୋଇଛି। ଆକାଲାଣ୍ଡ କାଉଣ୍ଟିର ଶେରିଫ ମାଇକେଲ ବାଉଚର୍ଡ କହିଛନ୍ତି, ଆକ୍ରମଣକାରୀ ଗୁଳିମାଡ଼ ପରେ ଏକ ଘର ଭିତରେ ଲୁଛି। ପୁଲିସ ସଂପୃକ୍ତ ଘରକୁ ଘେରାବନ୍ଦୀ କରିଛି। ତେବେ ଘର ଭିତରୁ ସଂଦିଗ୍ଧକୁ ମୃତ ଅବସ୍ଥାରେ ଠାବ କରାଯାଇଛି। ଗୁଳିମାଡ଼ରେ ଆହତ ଶିଶୁ ଓ ଅନ୍ୟମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆକାଲାଣ୍ଡ କାଉଣ୍ଟି ପୁଲିସ ଅନୁସାରେ ସନ୍ଦିଗ୍ଧ ଶନିବାର ସନ୍ଧ୍ୟା ପାଖାପାଖି ୫ଟାରେ ରୋଚେଷ୍ଟର ହିଲ୍ସରେ ଅବର୍ନ ସସ୍ପେଶ ପହଞ୍ଚି ଥିଲା। ନିଜ ଗାଡ଼ିରୁ ଓହ୍ଲାଇବା ପରେ ଆଖିବନ୍ଦ ଗୁଳିମାଡ଼ କରିଥିଲା। ଶେରିଫ ମାଇକେଲ ବାଉଚର୍ଡ କହିଛନ୍ତି ଆକ୍ରମଣକାରୀ ୯ଏମ୍ଏମ୍ ସେମି-ଅଟୋମେଟିକ୍ ଗଲ୍କ ଠାରୁ ପାଖାପାଖି ୨୮ ରାଉଣ୍ଡ ଗୁଳି କରିଥିଲଶ। ଘଟଣାସ୍ଥଳରୁ ଏକ ବନ୍ଧୁକ ଓ ତିନିଟି ମ୍ୟାଗାଜିନ ଜବତ କରାଯାଇଛି।
ଏହି ଗୁଳିମାଡ଼ ଘଟଣା ପରେ ପୁଲିସ ଘଟଣାସ୍ଥଳରେ ଲୋକଙ୍କର ଗମାନଗମନ ଉପରେ କଟକଣା ଲଗାଇଛି। ପୁଲିସ କହିଛି ଯେ, ଏବେବି ବିପଦ ଟଳି ନାହିଁ। ସ୍ଥାନୀୟ ମେୟର କେ ବାର୍ନେଟ କହିଛନ୍ତି, ପୁଲିସ ଆକ୍ରମଣସ୍ଥଳକୁ ପୁଲିସ ନିଜ ଅକ୍ତିଆରକୁ ନେଇଛି। ଆମେ ସମସ୍ତଙ୍କ ଧୈର୍ଯ୍ୟକୁ ପ୍ରଶଂସା କରୁଛୁ। ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ।
ସୂଚନାଯୋଗ୍ୟ, ଆମେରିକାରେ ସର୍ବସାଧାରଣରେ ଗୁଳିମାଡ଼ ହେବା ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏହି ଭଳି ଗୁଳିମାଡ଼ ହୋଇଛି, ଯେଉଁଥିରେ କି ଅନେକଙ୍କ ଜୀବନ ଯାଇଛି।