ଗୁଣି ଗାରେଡ଼ି ସନ୍ଦେହରେ ନାବାଳକର ତଣ୍ଟି କାଟିଲା ପଡୋଶୀ। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଶିଷକେଲା ପଂଚାୟତ ଭୋରପଡା ଗାଁରୁ।
ଗାଁର ୧୩ବର୍ଷୀୟା ବାଳକ ମିଲନ ଦୀପକୁ ଗଳା କାଟି ହତ୍ୟା ଉଦ୍ୟମ କରାଯାଇ ଥିବା ଅଭିଯୋଗ ଆସିଛି । ମିଲନଙ୍କ ପଡୋଶୀ ସାଗର ନାମକ ବ୍ୟକ୍ତିଙ୍କର ଅଜା ପ୍ରଥମେ ମିଲନଙ୍କୁ ଘରକୁ ଡାକି ମିଠା ଖାଇବାକୁ ଦେଇଥିଲେ ଓ ଏହାପରେ ଧାରୁଆ ଦାଆରେ ଗଳା କାଟିଦେଇଥିଲେ ତେବେ ନାବାଳଙ୍କ ଜଣକ କୌଶଳ କ୍ରମେ ସେହି ବ୍ୟକ୍ତିଙ୍କୁ ଠେଲି ଦେଇ ଘରକୁ ପଳେଇ ଆସିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସଇଁତଲା ଡାକ୍ତରଖାନାରେ ଭର୍ତି କରାଯାଇଥିଲା କିନ୍ତୁ ବେକରେ ଗଭୀତ ଆଘାତ ଲାଗିଥିବାରୁ ଅବସ୍ଥା ଅଧିକ ଗୁରୁତର ଥିବାରୁ ନାବାଳକକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି।
ତେବେ ଗଳା କାଟିଥିବା ବ୍ୟକ୍ତି ଜଣକ ପୂର୍ବରୁ ଗାଁରେ ଗୁଣି ଗାରେଡ଼ି କରୁଥିବାରୁ ଓ ଗଳା କାଟିବା ସମୟରେ ହାତରେ ଚିନି ଓ ଅସ୍ତ୍ର ଧରି ଥିବାରୁ ଏହାକୁ ବଳି ଘଟଣା ବୋଲି ପରିବାର ତରଫରୁ ଅଭିଯୋଗ ହୋଇଛି। ବଲାଙ୍ଗୀର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।