ଯୌତୁକ ଲାଗି ବଧୂ ହତ୍ୟା । ବିଡାନାସୀ ଥାନାରେ ପରିବାର ଲୋକେ କଲେ ଅଭିଯୋଗ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି , ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଶଙ୍କୁର ଅଞ୍ଚଳରେ ।
ସୂଚନା ଅନୁସାରେ , ମେ ୪ ତାରିଖରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଶଙ୍କୁର ଅଞ୍ଚଳର ପ୍ରତାପ ଜେନାଙ୍କ ଝିଅ ଦେବକୀ କଟକ ବିଡ଼ାନାସୀ ନୂଆସାହିର ପ୍ରସନ୍ନ ପ୍ରଧାନଙ୍କ ବଡ଼ ପୁଅ ଚିତ୍ତରଞ୍ଜନଙ୍କୁ ବିବାହ କରିଥିଲେ । ସେ ଭୁବନେଶ୍ବରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଯୌତୁକ ବାବଦରେ ସୁନା ରୁପା ଅଳଙ୍କାର, ଘରୋଇ ସାମଗ୍ରୀ ଓ ନଗଦ ତିନି ଲକ୍ଷ ଟଙ୍କା ଦେଇଥିଲେ । ହେଲେ ଶାଶୁଘର ଲୋକେ ଯୌତୁକ ବାବଦକୁ ଅଧିକ ଟଙ୍କା ଡିମାଣ୍ଡ କରିଥିଲେ । ଅଧିକ ଟଙ୍କା ନ ଦେବାରୁ ଶାଶୁଘର ଲୋକେ ଦେବକୀଙ୍କୁ ବହୁ ନିର୍ଯାତନା ଦେଉଥିଲେ । ଝିଅ ଦେବକୀ ବାପ ଘର ଲୋକଙ୍କୁ ସବୁ କଥା ଜଣାଇଥିଲେ । ହେଲେ ପରିବାର ଲୋକେ କହିଥିଲେ ଯେ ,ତୁ ସେଠାରେ ରହ ! କାହିଁକି ନାଁ ସେଇଟା ତୋ ଶାଶୂଘର । ଗତ ୧୬ ତାରିଖ ରାତି ପ୍ରାୟ ୧୦ଟା ବେଳେ ଦେବକୀ ଖଟରୁ ତଳକୁ ପଡ଼ି ଚେତା ହରାଇଥିବା ନେଇ ଶଶୁର ତାଙ୍କ ମା ଙ୍କୁ ଅବଗତ କରାଇଥିଲେ । ଶାଶୂଘର ଲୋକେ ତାଙ୍କୁ ଏସସିବି ମେଡିକାଲକୁ ନେଇଯାଇଥିଲେ । ରାତି ପ୍ରାୟ ୧୨ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତକାଲି ସକାଳେ ଘରଲୋକ ତାଙ୍କ ଦେହ ସାରା ମାଡ଼ ଚିହ୍ନ ଦେଖିବାକୁ ପାଇଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ସମ୍ପର୍କରେ ବାପା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଆଧାରରେ ଏକ ମାମଲା ଥାନାରେ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ମୃତ ପତ୍ନୀଙ୍କ ସ୍ଵାମୀକୁ ପୋଲିସ ଥାନାରେ ଅଟକ ରଖିବା ସହ ପଚରାଉଚରା ଜାରିରଖିଛି ।
ଆଗକୁ ପଢନ୍ତୁ :- ଦିନ ଦ୍ୱିପ୍ରହରରେ ମଧ୍ୟ ଥମୁନି ହିଂସା