ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ ମାମଲାରେ ଭାରତର ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ବଡ଼ ସଫଳତା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ବେଟିଂ ଆପର ମାଲିକ ସୌରଭ ଚନ୍ଦ୍ରାକରଙ୍କୁ ଇଣ୍ଟରପୋଲ ଅଟକ ରଖିବା ପରେ ତାଙ୍କୁ ଭାରତ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ମହାଦେବ ଆପ୍ର ମାଲିକ ସୌରଭ ଚନ୍ଦ୍ରାକରଙ୍କୁ ଏକ ସପ୍ତାହ ମଧ୍ୟରେ ଭାରତ ଆଣିପାରେ। କୁହାଯାଉଛି ଯେ ଇଣ୍ଟରପୋଲ ନୋଡାଲ ଏଜେନ୍ସି ସିବିଆଇକୁ ସୂଚନା ଦେଇଛି।
ଏହି ମାମଲାରେ ଇଡି ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଥିଲା। ମହାଦେବ ଆପର ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କ ଡି କମ୍ପାନି (ଦାଉଦ ଇବ୍ରାହିମ) ସହ ମଧ୍ୟ ସମ୍ପର୍କ ରହିଛି। ଦେଶର ଅନେକ ରାଜ୍ୟରେ ମହାଦେବ ଆପ୍ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଆପ୍କୁ ନେଇ ଇଡିରେ ମଧ୍ୟ ଅଭିଯୋଗ ହୋଇଛି। ଏହା ପୂର୍ବରୁ ୨୦୨୩ ଡିସେମ୍ବରରେ ସୌରଭ ଚନ୍ଦ୍ରାକରଙ୍କୁ ଦୁବାଇରେ ଅଟକ ରଖାଯିବା ପରେ ଗୃହବନ୍ଦୀ କରାଯାଇଥିଲା।
୫ ନଭେମ୍ବର ୨୦୨୩ରେ କେନ୍ଦ୍ର ସରକାର ମହାଦେବ ବେଟିଂ ଆପ୍ ସମେତ ବେଆଇନ ବେଟିଂ ଥିବା ୨୨ଟି ଆପ୍ ଓ ୱେବସାଇଟ୍କୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଇଡିର ସୁପାରିସ ପରେ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନର ଧାରା ୬୯ଏ ଅନୁଯାୟୀ ଏହି ଆଦେଶ ଜାରି କରାଯାଇଛି। ମହାଦେବ ଅନଲାଇନ୍ ବେଟିଂ ଆପ୍ ମାମଲା ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଇଡି ଦାବି କରିଥିଲା ଯେ ତତ୍କାଳୀନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ୟୁଏଇରେ ଥିବା ଆପ୍ ପ୍ରମୋଟରଙ୍କଠାରୁ ୫୦୮ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ତେବେ ବାଘେଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଅଧିକ ପଢ଼ନ୍ତୁ: ଡମ୍ପର ସହ କାର୍ ମୁହାଁମୁହିଁ ଧକ୍କା, ୪ ଜଣଙ୍କ ମୃତ୍ୟୁ