ଭୁବନେଶ୍ୱର: ଦୁର୍ଗା ପୂଜା ପୂର୍ବରୁ ଶୁକ୍ରବାର କମିଶନରେଟ୍ ପୁଲିସକୁ ବଡ଼ ସଫଳତା ମିଳିଛି । ରାଜଧାନୀବାସୀଙ୍କୁ ନାକେଦମ କରିଥିବା ଏକ କୁଖ୍ୟାତ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୁଲିସ । ବାଇକରେ ଆସୁଥିଲେ ଏବଂ ବାଟରେ ଯାହାକୁ ଦେଖୁଥିଲେ ଝାମ୍ପି ନେଉଥିଲେ ଚେନ୍ । ଲୁଟେରାଙ୍କଠାରୁ ୮ଟି ଚେନ୍ ଓ ୨ଟି ବାଇକୁ ଜବତ କରାଯାଇଛି ।
ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ସୂଚନା ମୁତାବକ, ଗତ ତିନି ମାସ ହେଲା ଏକ ଲୁଟେରା ଗ୍ୟାଙ୍ଗ୍ ରାଜଧାନୀରେ ଚହଳ ସୃଷ୍ଟି କରିଥିଲା । ପ୍ରାୟ ୯ଟି ଚେନ୍ ଲୁଟ ନେଇ ଅଭିଯୋଗ ଆସିଥିଲା ଏବଂ ସବୁଥିରେ ସମାନ ଢଙ୍ଗରେ ଲୁଟ୍ ହେଉଥିଲା । ବାଇକରେ ଆସି ମହିଳାଙ୍କ ବେକରୁ ଚେନ୍ ଝାମ୍ପି ନେଉଥିଲେ । ଯାହାର ମାଷ୍ଟର ମାଇଣ୍ଡ ଥିଲା ସୁବାସ ପ୍ରଧାନ ନାମକ ଜଣେ ବ୍ୟକ୍ତି । ତେବେ ଆଜି ସେହି ୮ ଜଣିଆ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଧରିବାରେ ସଫଳ ହୋଇଛି । ଲୁଟେରାଙ୍କ ଠାରୁ ୮ଟି ସୁନା ଚେନ୍, ୫ଟି ଇମିଟେସନ ଚେନ୍, ଲୁଟରେ ବ୍ୟବହୃତ ହେଉଥିବା ଦୁଇଟି ପଲସର ବାଇକ ଏବଂ ମାରଣାସ୍ତ୍ର ଜବତ କରାଯାଇଛି ।
ସୁରଟରୁ, ପୁରୀ ଏବଂ ଭୁବନେଶ୍ୱର ଯାଏଁ ଏମାନଙ୍କର ଅପରାଧର ଲମ୍ବା ତାଲିକା ରହିଛି । ଏ ସମସ୍ତ ସ୍ଥାନରେ ସୁବାସ ପ୍ରଧାନ ନାଁରେ ମାମଲା ରହିଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି । ସୁବାସ ପ୍ରଧାନ ସୁରଟରେ ଏକାଧିକ ଲୁଟ ମାମଲାରେ ଜଡ଼ିତ ଥିଲା ଏବଂ ହତ୍ୟା ମାମଲା ମଧ୍ୟ ରହିଛି । ଏହା ପରେ ସେ ପୁରୀରେ ଅପରାଧ ଜାଲ ବୁଣି ଥିଲା । ପରେ ସେ ଭୁବନେଶ୍ୱରକୁ ପଳାଇ ଆସିଥିଲା ଏବଂ ମହାରାଷ୍ଟ୍ରର ଜଣେ ଯୁବକଙ୍କ ମିଶି ଆରମ୍ଭ କରିଥିଲା ଲୁଟ୍ । ଆଗାମୀ ଦିନରେ ମାଲାର ଅଧିକ ତଦନ୍ତ ପାଇଁ ସୁରଟ ଏବଂ ପୁରୀ ପୁଲିସକୁ ମଧ୍ୟ ସୂଚନା ଦିଆଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।