ନୂଆଦିଲ୍ଲୀ: ପ୍ରଧାନବିଚାରପତିଙ୍କ ନାମରେ ଠକେଇ କରିବାକୁ ସାଇବର ଠକମାନେ ପଛାଉ ନାହାନ୍ତି। ଦିଲ୍ଲୀରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜଧାନୀରେ ଦେଶର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନାମରେ ଠକେଇ ହୋଇଛି। ସାଇବର ଠକଙ୍କ ମନୋବଳ ଏତେ ବଢିଯାଇଛି ଯେ ଏବେ ସିଜେଆଇ ନାଁରେ ୫୦୦ ଟଙ୍କା ଦାବି କରିଛନ୍ତି।
ମେସେଜ କରି ଲୋକଙ୍କୁ ଠକିବା ଓ ଫୋନ୍ କରିବା ଘଟଣା ପରେ ଏବେ 'ସିଜେଆଇ'ଙ୍କ ଏକ ନକଲି ମେସେଜ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କ୍ୟାବ୍ ବୁକ୍ କରିବା ପାଇଁ ଟଙ୍କା ଦାବି କରାଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରକାଶିତ ଏକ ପୋଷ୍ଟ ଅନୁଯାୟୀ ଜଣେ ବ୍ୟକ୍ତି ନିଜକୁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ବୋଲି ଦାବି କରି ୫୦୦ ଟଙ୍କା ଠକିବାକୁ ଚେଷ୍ଟା କରିଛନ୍ତି।
ଏହି ଭାଇରାଲ୍ ପୋଷ୍ଟ ସାମ୍ନାକୁ ଆସିବା ମାତ୍ରେ ପ୍ରଧାନବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ସୁପ୍ରିମ୍କୋର୍ଟ ନିଜେ ଏହାକୁ ଗ୍ରହଣ କରି ସାଇବର ଠକେଇ ଅଭିଯୋଗ କରିଛନ୍ତି। ନିକଟରେ ସାଇବର ଠକେଇର ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଅପରାଧୀମାନେ ଏକାଧିକ ଡିଜିଟାଲ ପଦ୍ଧତିର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି ।
ନିକଟରେ ଆରବିଆଇ ଏକ 'ଡିଜିଟାଲ୍ ପେମେଣ୍ଟ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ' ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି, ଯେଉଁଥିରେ ପେମେଣ୍ଟ ଠକେଇର ବିପଦକୁ ହ୍ରାସ କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ମେ ୩୦ରେ ପ୍ରକାଶିତ ବାର୍ଷିକ ରିପୋର୍ଟ ଅନୁଯାୟୀ, ବ୍ୟାଙ୍କଗୁଡ଼ିକ ଦ୍ୱାରା ଆର୍ଥିକ ଠକେଇ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହା କି ୨୦୨୩-୨୪ ଆର୍ଥିକ ବର୍ଷରେ ବାର୍ଷିକ ୧୬୬ ପ୍ରତିଶତ ବୃଦ୍ଧି ପାଇ ୩୬,୦୭୫ରେ ପହଞ୍ଚିଛି।
ଅଧିକ ପଢ଼ନ୍ତୁ: ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ବନ୍ଦ: ଅଟକିଲା ଟ୍ରେନ୍