କୋଲକାତା: ସ୍ଥାନୀୟ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଭାରତୀୟ ଜନତା ପାର୍ଟି (ବିଜେପି) ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ବନ୍ଦ ଜାରି ରଖିଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ସନ୍ଧ୍ୟା ଯାଏଁ ଜାରି ରହିବ।
ହାୱଡ଼ାରେ ସରକାରୀ ବସ୍ ଚାଳକମାନେ ହେଲମେଟ୍ ପିନ୍ଧି ବସ୍ ଚଳାଉଛନ୍ତି। ଜଣେ ଡ୍ରାଇଭର କହିଛନ୍ତି, ଆଜି ବନ୍ଦ ଥିବାରୁ ଆମେ ହେଲମେଟ୍ ପିନ୍ଧିଛୁ। ଅଲିପୁରଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ପୁଲିସ ଅଟକ ରଖିଛି। ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ ବିଜେପିର ବନ୍ଦ ବେଳେ ନିଆଁ ଲାଗିଥିବା ଖବର ମିଳିଛି।
ବିଜେପି ବିଧାୟକ ଅଶୋକ କୀର୍ତ୍ତନିଆ କହିଛନ୍ତି, ଆଜି ବେଙ୍ଗଲ ବନ୍ଦ ଚାଲିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିଚାଳନା କରିବାରେ ପୁଲିସ ବିଫଳ ହୋଇଛି। ଆମେ ଏଠାରୁ ହଟିବୁ ନାହିଁ, ଆମେ ଲଢ଼େଇ ଜାରି ରଖିବୁ। ଦଳର ବରିଷ୍ଠ ନେତା ଅଶୋକ କିର୍ତ୍ତିନିଆଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଉତ୍ତର ୨୪ ପ୍ରଗଣାର ବନଗାଓଁ ଷ୍ଟେସନରେ ଟ୍ରେନ୍ ଅଟକାଇଛନ୍ତି।
ଏହି ଘଟଣାକୁ ନେଇ ବିକ୍ଷୋଭକାରୀମାନେ ମଙ୍ଗଳବାର (ଅଗଷ୍ଟ ୨୭) ରାଜ୍ୟ ସଚିବାଳୟ 'ନବନ୍ନା' ଅଭିମୁଖେ ପଦଯାତ୍ରା କରିବାକୁ ଚେଷ୍ଟା କରିଛନ୍ତି। ଏହି ସମୟରେ ସେମାନେ ପୁଲିସ ସହ ଧସ୍ତାଧସ୍ତି କରିବା ପରେ ପୁଲିସ ଲାଠିଚାର୍ଜ ଓ ପାଣି କାନନ ଲଗାଇଥିଲା। ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଜେପି ଅଗଷ୍ଟ ୨୮ରେ ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଇସ୍ତଫା ଦାବି କରି ଆସୁଛନ୍ତି। ଏହାକୁ ନେଇ କୋଲକାତାରେ ଜୋରଦାର ବିକ୍ଷୋଭ ହୋଇଥିଲା। ଆଇନ ଶୃଙ୍ଖଳା ଖରାପ ପ୍ରଦର୍ଶନ ପାଇଁ ମମତା ବାନାର୍ଜୀ ଇସ୍ତଫା ଦିଅନ୍ତୁ ବୋଲି ବିକ୍ଷୋଭକାରୀମାନେ ଦାବି କରିଛନ୍ତି। ନବନ୍ନା ଅଭିମୁଖେ ଯାଉଥିବା ଭିଡ଼କୁ ହଟାଇବା ପାଇଁ ପୁଲିସ ଲାଠି, ଲୁହବୁହା ଗ୍ୟାସ୍ ସେଲ୍ ଓ ପାଣି କାନନ ପ୍ରୟୋଗ କରିଥିଲା।
ଅଧିକ ପଢ଼ନ୍ତୁ: ୫ମ ଭାରତୀୟ ଭାବେ ଜୟ ଶାହ ହେଲେ ଆଇସିସି ଅଧ୍ୟକ୍ଷ