କୋଲକାତା: ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ଦକ୍ଷିଣ ପଶ୍ଚିମବଙ୍ଗ ସୀମା ଅନ୍ତର୍ଗତ ୬୮ତମ ବାହିନୀର ଯବାନମାନେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ସହିତ ଏକ ମିଳିତ ଅଭିଯାନ ବଳରେ ନଦିଆ ଜିଲ୍ଲାରେ ଭାରତ-ବାଂଲାଦେଶ ସୀମାକୁ ଲାଗିଥିବା ଅଞ୍ଚଳରେ ଏକ ବଡ଼ଧରଣର ଚାଲାଣକୁ ବିଫଳ କରିଛନ୍ତି। ବିଏସ୍ଏଫ୍ର ଯବାନମାନେ ୯.୫୭୨ କିଲୋ ସୁନା ଜବତ କରିଛନ୍ତି। ଏଥି ସହିତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।
ବିଏସ୍ଏଫ୍ ଶୁକ୍ରବାର ଏକ ବୟାନରେ କହିଛି, ସୁନାକୁ ବାଂଲାଦେଶରୁ ଚାଲାଣ କରାଯାଇଥିଲା। ଜବତ ସୁନାର ବଜାର ମୂଲ୍ୟ ୬.୮୬ କୋଟି ଟଙ୍କାରୁ ଅଧିକ ହେବ। ଜଣେ ଅଧିକାରୀ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ବିଏସ୍ଏଫ୍ ଓ ଡିଆରଜିର ଟିମ୍ ଗୁରୁବାର ନଦିଆର ସୀମାନଗରରେ ୧୧ ନମ୍ବର ରାଜ୍ୟ ରାଜପଥରେ ଗାଡ଼ି ଯାଞ୍ଚ ବେଳେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।
ଚାଲାଣକାରୀଙ୍କ ନିୟନ୍ତ୍ରଣରୁ ୯.୫୭୨ କିଲୋ ଓଜନର ୧୬ଟି ସୁନାର ଇଟା ଓ ଗୋଟିଏ ସୁନାର ବିସ୍କୁଟ ଜବତ କରାଯାଇଛି। ଏଥି ସହିତ ୧୧ ଲକ୍ଷ ୫୮,୫୦୦ ଟଙ୍କାର ବେଆଇନ ନଗଦ ଓ ସୁନା ଚାଲାଣରେ ବ୍ୟବହୃତ ଏକ କାର ମଧ୍ୟ ଜବତ କରିଛନ୍ତି।