ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା । ମୃତ୍ୟୁ କେମିତି ହେଲା? କେଉଁ ପରିସ୍ଥିତିରେ ପୋଖରୀରୁ ଉଦ୍ଧାର ହେଲା ସୁସ୍ମିତାଙ୍କ ମୃତଦେହ? ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ? ମୃତ୍ୟୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର । ଏନେଇ ସେ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜିଲ୍ଲା ମହିଳା ଅପରାଧ ତଦନ୍ତକାରୀ କମିଟି ଘଟଣାର ତଦନ୍ତ କରିବେ । ଡିଏସପି ପାହ୍ୟାର ଜଣେ ଅଧିକାରୀ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ ଗତ ୧୬ ତାରିଖରେ ଫ୍ୟାମିଲି କୋର୍ଟରେ ସୁସ୍ମିତାଙ୍କର ଛାଡ଼ପତ୍ର ମାମଲାର ଶୁଣାଣି ଥିଲା। ଅନ୍ୟପକ୍ଷରେ ସେହିଦିନ ଏଡିଏମ୍ ଅଫିସରେ ଏକ ବୈଠକ ଥିଲା। ତେଣୁ ସେ ସକାଳୁ ଘରୁ ଅଫିସ ଆସି ସଂଧ୍ୟାରେ ଆଉ ଫେରିନଥିଲେ। ଝିଅ ଘରକୁ ନଫେରିବାରୁ ପରିବାର ଲୋକ ଉଦିତ ନଗର ଥାନାରେ ଅଭିଯୋଗ କରିଥିଲେ। ଖୋଜାଖୋଜି ପରେ ସେ ରେଲୱେ ଷ୍ଟେସନ ପାଖ ଏକ ହୋଟେଲରେ ରହୁଥିବା ପୋଲିସ ଜାଣିବାକୁ ପାଇଥିଲା। ଏନେଇ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରେ ଉଭୟ ପୋଲିସ ଓ ପରିବାର ଲୋକ ତାଙ୍କୁ ଘରକୁ ଯିବାକୁ କହିଥିଲେ। ହେଲେ ସେ ଘରକୁ ଯିବା ପାଇଁ ରାଜି ହୋଇନଥିଲେ। ଆଉ ଏହାର ଦୁଇ ଦିନ ପରେ ୧୯ ତାରିଖରେ ସହକାରୀ ଜିଲ୍ଲାପାଳଙ୍କ ମୃତଦେହ ମିଳିଥିଲା । ହେଲେ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ମୃତ ସୁସ୍ମିତା ମିଞ୍ଜଙ୍କ ପରିବାର । ଏହା ସହ ନ୍ୟାୟ ଦାବିରେ ଏଡିଏମ ଅଫିସ ଘେରାଉ କରିଥିଲେ ଶତାଧିକ ଆଦିବାସୀ ମହିଳା । ଏଡିଏମ ଅଫିସ ଘେରାଉ କରିବା ସହ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ ।
ତେବେ ବର୍ତ୍ତମାନ ରାଉରକେଲା ଏସପି ପୁରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ସୁସ୍ମିତା ମିଞ୍ଜଙ୍କ ସନ୍ଦିଗ୍ଧ ମୃତ୍ୟୁ ଉପରୁ ରହସ୍ୟର ପର୍ଦ୍ଦା ହଟିବ ବୋଲି ଆଶା କରାଯାଉଛି । ହେଲେ କେତେ ଦିନ ଭିତରେ ମାମଲା ଉପରୁ ପରଦା ହଟିବ, ସେନେଇ ଏସ୍ପି କୌଣସି ସୂଚନା ଦେଇନାହାନ୍ତି ।
ଅଧିକ ପଢନ୍ତୁ :- ବୃଦ୍ଧା ମହିଳାଙ୍କୁ ଅସଦାଚରଣ ଉଦ୍ୟମ