ସମ୍ବଲପୁର ଉପକଣ୍ଠସ୍ଥ ବଲବସପୁର ହୀରାକୁଦ ନଦୀବନ୍ଧର ଡାଇକ ତଳେ ଥିବା ରାସ୍ତା କଡରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳର ପାରିପାର୍ଶ୍ଵିକ ସ୍ଥିତିରୁ ମହିଳାଙ୍କୁ ହତ୍ୟା ପରେ ପୋଡି ଦେବାର ଚେଷ୍ଟା କରିଥିବାର ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ସମ୍ବଲପୁର ଜିଲ୍ଲା ଶାସନ ଥାନା ଅର୍ନ୍ତଗତ ହୀରାକୁଦ ନଦୀବନ୍ଧ ଡାଇକ ରାସ୍ତା ନିକଟରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ନାମ ଶଶି ପାଗଡ଼ା ଥିବାବେଳେ ତାଙ୍କ ବୟସ ୫୫ ବର୍ଷ ବୋଲି କୁହ ଯାଉଛି । ମୃତ ମହିଳା ଜଣକ ଗତକାଲି ଅପରାହ୍ନରୁ ନିଖୋଜ ଥିଲେ ଏବଂ ଆଜି ସକାଳୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଘଟଣାସ୍ଥଳରୁ ଅଧା ପୋଡା ମୃତଦେହ, ସିଗାରେଟ ଖୋଳ, କପଡା, ମଦ ବୋତଲ, ଖାଦ୍ୟ, ପାଣି ବୋତଲ, ଚପଲ ଆଦି ବିଭିନ୍ନ ସାମଗ୍ରୀ ପୋଲିସ ଜବତ କରିଛି । ଘଟଣା ପରେ ହୀରାକୁଦ ଅଞ୍ଚଳରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ସରଗରମ ଧରିଛି । ମହିଳା ଜଣକ ଜଣେ ରାଜନେତାଙ୍କ ଘରେ ସହାୟିକା ରୂପେ କାର୍ଯ୍ୟ କରୁଥିବା ବେଳେ ସନ୍ଦିଗ୍ଧ ସ୍ଥିତିରେ ମୃତଦେହ ମିଳିବା ପରେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ମୃତକଙ୍କୁ ଦୁଷ୍କର୍ମ ସହିତ ହତ୍ୟା କରାଯାଇଛି ଏବଂ ହତ୍ୟାରେ ରାଜନେତାଙ୍କ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ ହେଉଛି । ତବେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏ ନେଇ ଶାସନ ଥାନାରେ ହତ୍ୟା ଦଫା ଅନୁଯାୟୀ ଏକ ମାମଲା ରୁଜୁ କରାଇଛି ।
ଅଧିକ ପଢନ୍ତୁ : କୋଟାରେ ଆଉ ଜଣେ ଛାତ୍ର ଜୀବନ ହାରିଲେ