ଭୁବନେଶ୍ୱର: ବଲାଙ୍ଗୀର ଏବଂ କେନ୍ଦୁଝରରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗୀରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦୁଝରରେ ୩ ଜଣ ପ୍ରାଣ ହରାଇଛନ୍ତି ।
ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଭରୁଆମୁଣ୍ଡା ଗାଁ ନିକଟରେ ଟ୍ରକ୍ ଧକ୍କାରେ ୨ ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଭରୁଆମୁଣ୍ଡା ଗାଁର ସଞ୍ଜୁ ନାୟକ ଓ କେଶବ ମାଝୀ । ଦୁଇ ଜଣ ଘରକୁ ଫେରୁଥିବା ସମୟରେ ଭରୁଆମୁଣ୍ଡା ଛକରେ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସଞ୍ଜୁ ନାୟକଙ୍କର ମୃତ ହୋଇଥିବାବେଳେ କେଶବ ମାଝିଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର କେଶବଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇ ପାଟଣାଗଡ଼ ପଟକୁ ଫେରାର ମାରୁଥିବା ବେଳେ ପୋଲିସ ଟ୍ରକ ସହ ଡ୍ରାଇଭରକୁ କାବୁ କରିଥିଲା ବେଲପଡ଼ା ପୁଲିସ । କ୍ଷତି ପୂରଣ ଦାବିରେ ପରିବାର ଲୋକେ ପାଟଣାଗଡ-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ପୁଲିସ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା ।
ସେହିପରି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟର ଲଙ୍ଗଲକଣ୍ଟି ଗାଁ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରେଲର ଏକ ବାଇକକୁ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ମସିଣାବିଲା ଗ୍ରାମର କାହ୍ନୁ ମୁଣ୍ଡା, ଭଦ୍ର ଖାଟୁଆ ଓ ସାନବରବେଡା ଗ୍ରାମର ମହେଶ୍ୱର ନାଏକ । ଏହି ତିନି ଜଣ ଗୋଟିଏ ବାଇକରେ ଢେଙ୍କିକୋଟ ବଜାରରୁ ନିଜ ଗାଁକୁ ଫେରୁଥିବା ସମୟରେ ଏକ ଟ୍ରେଲର ସେମାନଙ୍କୁ ଧକ୍କା ଦେଇଥିଲା । ସମସ୍ତଙ୍କୁ ଉଦ୍ଧାର କରି ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଟ୍ରେଲରକୁ ପୁଲିସ ଜବତ କରିଛି ।