ଭୁବନେଶ୍ୱର: ଓଡ଼ିଶାକୁ ଆସିବେ ବିଶ୍ୱର ପ୍ରମୁଖ କମ୍ପାନୀ। ଏଣିକି ବିଦେଶରେ ଚାକିରି ପାଇଁ ଓଡ଼ିଆ ପିଲାଙ୍କୁ ମିଳିବ ବଡ଼ ସୁଯୋଗ। ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଛି ବ୍ଲାକ ସ୍ୱାନ୍ ସମ୍ମିଳନୀ। ଏହି ସମ୍ମିଳନୀ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି କାରଣ ଭୁବନେଶ୍ୱର ଏବେ ଗ୍ଲୋବାଲ ପ୍ଲେୟାରଙ୍କ ଫେଭରିଟ୍ ଡେଷ୍ଟିନେସନ ପାଲଟିଛି।
ଓଡ଼ିଶା ଏବେ କେବଳ ପ୍ରାକୃତିକ ସମ୍ପଦରେ ନୁହେଁ, ବରଂ ଫିନଟେକ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ବିଶ୍ୱ ନଜରକୁ ଆସିଛି। ଭାରତର ଆଗାମୀ ‘ବିଶ୍ୱ ସାମର୍ଥ୍ୟ କେନ୍ଦ୍ର’ ଭାବେ ଓଡ଼ିଶାକୁ ଗଢ଼ି ତୋଳିବା ଲକ୍ଷ୍ୟରେ ଫେବୃଆରୀ ୫ ଓ ୬ ତାରିଖରେ ଭୁବନେଶ୍ୱରରେ ପ୍ରଥମ ‘ବ୍ଲାକ୍ ସ୍ୱାନ୍ ଶିଖର ସମ୍ମିଳନୀ’ ଆୟୋଜିତ ହୋଇଛି। ଏହି ସମ୍ମିଳନୀ ଜାତୀୟ ନୀତି ନିର୍ଦ୍ଧାରକମାନଙ୍କୁ ଆର୍ଥିକ ପ୍ରତିଷ୍ଠାନ, ପ୍ରଯୁକ୍ତି ବିଦ୍ୟା, ଷ୍ଟାର୍ଟଅପ୍, ନିବେଶକ ଏବଂ ଶିକ୍ଷାବିତଙ୍କ ମଧ୍ୟରେ କାର୍ଯ୍ୟାନ୍ୱୟନମୁଖୀ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିବ। ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେବେ।
ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ଆଗକୁ ବଢିବା ଓଡିଶାର ଲକ୍ଷ୍ୟ।ବିଶେଷକରି ଡିଜିଟାଲ୍ ଫାଇନାନ୍ସ, ଫିନଟେକ୍, ଇନ୍ୟୁସରଟେକ୍ ଏବଂ ଏଆଇ-ଚାଳିତ ରୂପାନ୍ତରଣ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ଭାରତନେତ୍ର ପଦକ୍ଷେପ ଅଧୀନରେ ଓଡ଼ିଶା ସରକାର ଏବଂ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟୱାର୍କ-GFTN ସହାୟତାରେ ଏହା ଆୟୋଜିତ ହେଉଛି। ସମ୍ମିଳନୀରେ ୨୪ଟି ଦେଶର ୧୭୦୦ ରୁ ଅଧିକ ପ୍ରତିନିଧି ଏବଂ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ, ଏସିଆ ଏବଂ ଆଫ୍ରିକା ଭଳି ୫ଟି ମହାଦେଶରୁ ପ୍ରାୟ ୧୦୦ ଜଣ ଫାଇନାନ୍ସ ଓ ଟେକ୍ନୋଲୋଜି କ୍ଷେତ୍ରର ବିଶେଷ ପ୍ରତିଭାମାନେ ଉପସ୍ଥିତ ରହିବେ। ନୀତି ନିର୍ଦ୍ଧାରକ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା, ନିବେଶକ ଏବଂ ବୈଷୟିକ ବିଶେଷଜ୍ଞମାନେ ଗୋଟିଏ ମଞ୍ଚରେ ଏକାଠି ହୋଇ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବେ।
କେବଳ ଚର୍ଚ୍ଚା ନୁହେଁ, ନିଯୁକ୍ତି ଉପରେ ନଜର
ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଳ କୁମାର ଦେବଙ୍କ କହିବା ଅନୁଯାୟୀ, ଆମର ଲକ୍ଷ୍ୟ କେବଳ ନୂଆ ଟେକ୍ନୋଲୋଜି ଆଣିବା ନୁହେଁ, ବରଂ ଏହା ଦ୍ୱାରା କିଭଳି ନିଯୁକ୍ତି, ଦକ୍ଷତା ବିକାଶ ଓ ଉଦ୍ୟୋଗ ସୃଷ୍ଟି ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି।
ଏହି ସମ୍ମିଳନୀ ମାଧ୍ୟମରେ AI ଓ ଫିନଟେକ୍ କ୍ଷେତ୍ରରେ ଓଡ଼ିଶାର ଦକ୍ଷତା ବିଶ୍ୱ ଦରବାରରେ ପ୍ରଦର୍ଶିତ ହେବ। ଏହି ପଦକ୍ଷେପ ୨୦୪୭ ସୁଦ୍ଧା ଭାରତକୁ ଏକ ‘ବିକଶିତ ରାଷ୍ଟ୍ର’ ଭାବେ ଗଢ଼ି ତୋଳିବା ସ୍ୱପ୍ନ ସହ ସମନ୍ୱିତ ହୋଇଛି। ରାଜ୍ୟରେ ଶିଳ୍ପ ନିବେଶ ଓ ସ୍ଥାୟୀ ନିଯୁକ୍ତି ପାଇଁ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ: ବଜେଟରେ ଏଆଇ ମିଶନ ଏବଂ ଗବେଷଣା-ବିକାଶକୁ ଗୁରୁତ୍ୱ; ଏଣିକି କେବଳ ବଡ଼ କମ୍ପାନୀ ନୁହେଁ, ଷ୍ଟାର୍ଟଅପ୍ ବି AIରେ ହେବ ଲାଭବାନ
ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଆର୍ଥିକ ଅଭିବୃଦ୍ଧି ଉପରେ ନିଷ୍ପତ୍ତି ନେବା ବ୍ଲାକ ସ୍ୱାନ୍ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଜିଏଫଟିଏନ୍ ଓଡ଼ିଶାରେ ଶାଖା ପ୍ରତିଷ୍ଠା କରି ଗ୍ଲୋବାଲ କାପାବିଲିଟି ସେଣ୍ଟର ଆରମ୍ଭ କରିଛି। ଏଥିରେ ୫ ବର୍ଷରେ ୭ ହଜାର ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛି। ଏବେ ସୁଦ୍ଧା ୭୦ ଓଡ଼ିଆ ପିଲାଙ୍କୁ ଜାପାନ, କୋରିଆ, ସିଙ୍ଗାପୁରରେ ଚାକିରି ମିଳିଛି। ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟୱାର୍କ ହେଉଛି ଏକ ଆର୍ଥିକ କମ୍ପାନୀ ଯାହା ୨୦୨୪ ମସିହାରେ ସିଙ୍ଗାପୁରର ମୁଦ୍ରା ଆର୍ଥିକ ପ୍ରାଧିକରଣ ଦ୍ୱାରା ଆରମ୍ଭ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଦକ୍ଷ ଆର୍ଥିକ ସେବା ସୃଷ୍ଟି କରିବା ପାଇଁ ନବସୃଜନକୁ ଉତ୍ସାହିତ କରିବା।
୨୦୨୫ ବ୍ଲାକ ସ୍ୱାନ୍ ସମ୍ମିଳନୀ ଅଷ୍ଟ୍ରେଲିଆର ପର୍ଥରେ ଅନୁଷ୍ଠିତ ହୋଇଥିଲା। ୨୦୨୫ ଜାନୁଆରୀରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଅବସରରେ ରାଜ୍ୟ ସରକାର ଜିଏଫଟିଏନ୍ ସହ ଚୁକ୍ତିନାମା କରିଥିଲେ। ଚଳିତବର୍ଷ ପ୍ରଥମଥର ପାଇଁ ଭାରତର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି।
ଅଧିକ ପଢନ୍ତୁ: ବଦଳିଯିବ ୭ ଜିଲ୍ଲା ଏବଂ ୨୪ଟି ସ୍ଥାନର ଇଂରାଜୀ ବନାନ, ଜାଣନ୍ତୁ ସେଗୁଡ଼ିକର ନାମ