ନୂଆଦିଲ୍ଲୀ: ଯଦି ଆପଣ ସର୍ବଦା ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି ଏବଂ ପ୍ରତି ୨୦-୩୦ କିଲୋମିଟରରେ ଟୋଲ ଟ୍ୟାକ୍ସ ଭରି ଭରି ଥକ୍କି ଗଲେଣି ତେବେ ଆପଣଙ୍କ ପାଇଁ ରହିଛି ବଡ ଆଶ୍ୱସ୍ତିକର ଖବର । କାରଣ କେନ୍ଦ୍ର ସରକାର ଫାସଟ୍ୟାଗ ଆଧାରିତ ଏକ ବାର୍ଷିକ ସ୍କିମ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି । ଏହି ସ୍କିମ ୨୦୨୫ ଅଗଷ୍ଟ ୧୫ରୁ ସମଗ୍ର ଦେଶରେ ଲାଗୁ ହେବ ।
କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ଏବେ ୩ ହଜାର ଟଙ୍କାର ଫାସଟ୍ୟାଗ ପାସ୍ ତିଆରି ହେବ । ଏହି ପାସର ବୈଧ୍ୟତା ଗୋଟିଏ ବର୍ଷ ଯାଏଁ ରହିବ । ୨୦୦ ଟ୍ରିପ୍ସ ପର୍ଯ୍ୟନ୍ତ ଆଉ କୌଣସି ଟୋଲ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଏହି ସ୍କିମ କେବଳ ନନ କମର୍ସିଆଲ ଭେଇକିଲ ଯେପରି କାର, ଜିପ ଓ ଭ୍ୟାନ ପାଇଁ ଲାଗୁ ହେବ ।
କେନ୍ଦ୍ର ମନ୍ତ୍ରୀ ଗଡକରୀ କହିଛନ୍ତି, ଏହି ଐତିହାସିକ ପଦକ୍ଷେପ ୨୦୨୫ ଅଗଷ୍ଟ ୧୫ରୁ ଆରମ୍ଭ ହେବ । ୩୦୦୦ ଟଙ୍କାର ଏହି ଫାସଟ୍ୟାଗ ବାର୍ଷିକ ପାସ୍ ପରି କାମ କରିବ । ଏହି ପାସ୍ ସକ୍ରିୟ ହେବାର ତାରିଖଠୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ କିମ୍ବା ୨୦୦ ଯାତ୍ରା ପର୍ଯ୍ୟନ୍ତ ବୈଧ୍ୟ ରହିବ । ବ୍ୟକ୍ତିଗତ କାର, ଗାଡିକୁ ଦୃଷ୍ଟିରେ ରଖି ଏହି ପାସ୍ ପ୍ରସ୍ତୁତ କରାଯାଇଛି । ଏହି ପାସ୍ ଜରିଆରେ ସମଗ୍ର ଦେଶର ଜାତୀୟ ରାଜପଥରେ ବିନା ଟୋଲ୍ ଟ୍ୟାକ୍ସରେ ଯାତ୍ରା କରି ପାରିବେ ।
ଗଡକରୀ ପୋଷ୍ଟରେ ଲେଖିଛନ୍ତି, ବାର୍ଷିକ ପାସ୍ ନବୀକରଣ ପାଇଁ ଶୀଘ୍ର ଜାତୀୟ ରାଜପଥ ଯାତ୍ରା ଆପ୍ ଓ ... ର ୱେବସାଇଟରେ ଏକ ଅଲଗା ଲିଙ୍କ ଉପଲବ୍ଧ କରାଯିବ । ଏହି ପ୍ରକ୍ରିୟା ସରଳ ଓ ସୁଗମ ହେବ । ଗଡକରୀ ଏହା ମଧ୍ୟ ଲେଖିଛନ୍ତି, ଫାସଟ୍ୟାଗ ପାସରେ ଅପେକ୍ଷା କରିବାର ସମୟ ହ୍ରାସ ପାଇବ । ଏଥିରେ ଭିଡ କମି ଏବଂ ଟୋଲ୍ ପ୍ଲାଜାକୁ ନେଇ ଦେଖା ଦେଉଥିବା ବିବାଦର ଅନ୍ତ ଘଟିବ ।