ମୁମ୍ବାଇ: ସେୟାର ମାର୍କେଟ୍ କ୍ରମାଗତ ତୃତୀୟ ଦିନରେ ନାଲି ସଂକେତ ଦେଖିବାକୁ ମିଳିଛି। ସକାଳୁ ଯେମିତି ମାର୍କେଟ ଖୋଲିଛି ଉଭୟ ସେନ୍ସେକ୍ସ ଓ ନିଫ୍ଟି ଇଣ୍ଡେକ୍ସ ନିବେଶକମାନଙ୍କୁ ହତାଶ କରିଛି। ଗ୍ଲୋବାଲ ମାର୍କେଟ ଉପରେ ଦେଖାଯାଇଥିବା ହାହାକାର ଭାରତୀୟ ଷ୍ଟକ୍ ବଜାର ଉପରେ ପଡୁଛି।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ଯୁକ୍ତ ସେନ୍ସେକ୍ସ ୬୦୦ ପଏଣ୍ଟ ହ୍ରାସ ପାଇ ଆରମ୍ଭ ହୋଇଛି। ନିଫ୍ଟି ୧୮୦ ପଏଣ୍ଟ ତଳକୁ ଖସିଛି। ଏହାରି ମଧ୍ୟରେ ଆକ୍ସିସ ବ୍ୟାଙ୍କଠୁ ଆରମ୍ଭ କରି ଟାଟା ଷ୍ଟିଲ ପର୍ଯ୍ୟନ୍ତ ସେୟାରରେ ସର୍ବାଧିକ ହ୍ରାସ ପାଇଛି। ସୂଚନାଯୋଗ୍ୟ, ବଜେଟ୍-୨୦୨୪ ଉପସ୍ଥାପନ ହେବା ପରଠାରୁ ସେୟାର ବଜାର ଲଗାତାର ହ୍ରାସ ପାଇବାରେ ଲାଗିଛି। ଗ୍ଲୋବାଲ ମାର୍କେଟରେ ଦେଖାଯାଇଥିବା ହାହାକାର ଭାରତୀୟ ସେୟାର ବଜାର ଉପରେ ପ୍ରଭାବ ପକାଇଛି।
ଗୁରୁବାର ପ୍ରି-ମାର୍କେଟ ସେଶନ ବଜାରରେ ଆସିଥିବା ହ୍ରାସ ନେଇ ସଂକେତ ଦେଉଥିଲା। ପ୍ରି-ଓପନ ସେନ୍ସେକ୍ସ ୧୦୦୨.୯୪ ଅଙ୍କରୁ ଖସି ୭୯,୧୪୫.୯୪ ସ୍ତରରେ ଖୋଲିଥିଲା। ନିଫ୍ଟି ୨୪୮.୫୦ ଅଙ୍କ ହ୍ରାସ ପାଇବା ସହିତ ୨୪,୧୬୫ ସ୍ତରରେ ଖୋଲିଥିଲା। ପୂର୍ବାହ୍ନ ୯ଟା ୨୫ରେ ବିଏସ୍ସି ସେନ୍ସେକ୍ସ ୬୧୯.୫୪ ଅଙ୍କ ହ୍ରାସ ପାଇବା ସହିତ ୭୯,୫୨୯ ପଏଣ୍ଟରେ ବ୍ୟବସାୟ କରୁଥିଲା। ସେହିପରି ଏହି ସମୟରେ ଏନଏସ୍ଇ ନିଫ୍ଟି ୧୮୨.୫୫ ଅଙ୍କ ହ୍ରାସ ପାଇ ୨୪,୨୩୦.୯୫ରେ ଟ୍ରେଣ୍ଡ କରୁଥିଲା।