ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି। କିନ୍ତୁ ଅନେକଗୁଡ଼ିଏ ବ୍ୟାଙ୍କ ଋଣ ଉପରେ ସୁଧ ବଢ଼ାଇବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଗୃହ ଋଣ ଉପରେ ମଧ୍ୟ ସୁଧ ବଢ଼ାଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଏହାର ଅର୍ଥ ଋଣ ଗ୍ରହିତାଙ୍କୁ ଏଣିକି ଋଣ ଉପରେ ଅଧିକ ଇଏମ୍ଆଇର ମୂଲ୍ୟ ଦେବାକୁ ପଡ଼ିବ। ଆରବିଆଇର ମୁଦ୍ରା ନୀତି ସଂପର୍କିତ ବୈଠକର କିଛି ଦିନ ପରେ ଏସ୍ବିଆଇ ସୁଧ ଦର ବୃଦ୍ଧି ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଜୁନ୍ ୧୫ ତାରିଖ ଠାରୁ ସମସ୍ତ ଟେନ୍ୟୋର ପାଇଁ ନିଜର ମାର୍ଜିନାଲ କଷ୍ଟ ଅଫ୍ ଲ୍ୟାଣ୍ଡିଂ ରେଟ୍ସ (ଏମ୍ସିଏଲ୍ଆର)ରେ ୧୦ ବେସିସ୍ ପଏଣ୍ଟ ଅଥବା ୦.୧ ପ୍ରତିଶତ ବୃଦ୍ଧି କରିଛି। ଏସ୍ବିଆଇର ଏହି ପଦକ୍ଷେପ ଦ୍ବାରା ଏମ୍ସିଏଲ୍ଆର ସହିତ ଜଡ଼ିତ ସବୁ ପ୍ରକାରର ଋଣର ଇଏମ୍ଆଇ ବଢ଼ିଯିବ। ଏହାର ଅର୍ଥ ଏଣିକି ଗ୍ରାହକଙ୍କୁ ପ୍ରତ୍ୟେକ ମାସ ପୂର୍ବ ତୁଳନାରେ ଅଧିକ ଇଏମ୍ଆଇ ଦେବାକୁ ପଡ଼ିବ।
ଏସ୍ବିଆଇର ବର୍ଦ୍ଧିତ ଦର ଏକ ବର୍ଷର ଏମ୍ସିଏଲ୍ଆର ୮.୬୫ ପ୍ରତିଶତରୁ ବଢ଼ି ୮.୭୫ ପ୍ରତିଶତ ହୋଇଯାଇଛି। ଓଭରନାଇଟ୍ ଏମ୍ସିଏଲ୍ଆର ୮.୦୦ରୁ ବଢ଼ି ୮.୧୦ ପ୍ରତିଶତ ହୋଇଛି। ଏକ ମାସ ଓ ୩ମାସର ଏମ୍ସିଏଲ୍ଆର ୮.୨୦%ରୁ ୮.୩୦%ରେ ପହଞ୍ଚିଛି। ଛଅ ମାସର ଏମ୍ସିଏଲ୍ଆର ଏବେ ୮.୫୫%ରୁ ବଢ଼ି ୮.୬୫ପ୍ରତିଶତ ହୋଇଛି। ଏହା ବ୍ୟତୀତ ଦୁଇ ବର୍ଷୀଆ ଏମ୍ସିଏଲ୍ଆର ୮.୭୫%ରୁ ବଢ଼ି ୮.୮୫%ରେ ପହଞ୍ଚିଛି।