ନୂଆଦିଲ୍ଲୀ: ପେଟିଏମକୁ ମାସ ମାସ ପରେ ଏକ ଲମ୍ବା ଆଶ୍ୱସ୍ତି ମିଳିଛି ଏବଂ ଶେଷରେ ଏହା ସହିତ ନୂତନ ଉପଭୋକ୍ତାଙ୍କୁ ଯୋଡିବାକୁ ଅନୁମତି ମିଳିଛି। ପେଟିଏମ୍ ବ୍ରାଣ୍ଡ୍ ଚଳାଉଥିବା ମୂଳ କଂପାନୀ ଓ୍ଵାନ୍୯୭ କମ୍ୟୁନିକେସନ୍ସ୍ ଲିମିଟେଡ୍କୁ ନୂଆ ୟୁପିଆଇ ଉପଭୋକ୍ତାଙ୍କୁ ନିଜ ପ୍ଲାଟଫର୍ମରେ ଯୋଡ଼ିବା ପାଇଁ ନ୍ୟାସନାଲ ପେମେଣ୍ଟକର୍ପୋରେସନ୍ ଅଫ୍ ଇଣ୍ଡିଆଠାରୁ ଅନୁମୋଦନ ମିଳିଛି।
ସୂଚନାଯୋଗ୍ୟ, ପ୍ରାୟ ୯ ମାସ ତଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ୍କୁ ନୂଆ ୟୁପିଆଇ ବ୍ୟବହାରକାରୀ ଯୋଡ଼ିବା ଉପରେ ପ୍ରତିବନ୍ଧକ ଲଗାଇଥିଲା ଏବଂ ଏହି କାରଣରୁ କମ୍ପାନୀକୁ ଏକ ବଡ଼ ଝଟକା ଲାଗିଥିଲା।
ନ୍ୟାସନାଲ ପେମେଣ୍ଟକର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) କମ୍ପାନୀର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଶେଖର ଶର୍ମାଙ୍କୁ ଏକ ଚିଠି ଲେଖିଛି। ଏହି ଚିଠିରେ ଏନପିସିଆଇ ମୁଖ୍ୟ ଦିଲୀପ ଆସବେ ଲେଖିଛନ୍ତି ଯେ କମ୍ପାନୀକୁ ତାଙ୍କ ସହିତ ନୂଆ ଗ୍ରାହକ ଯୋଡିବାକୁ ଅନୁମତି ଦିଆଯାଉଛି । ଏହି ଅନୁମତି କିଛି ସର୍ତ୍ତାବଳୀ ଅଧୀନରେ ରହିବ ଏବଂ ଏନପିସିଆଇର ଅଫିସିଆଲ ଗାଇଡଲାଇନ ଏବଂ ଦେୟ ସେବା ପ୍ରଦାନକାରୀଙ୍କ ଚୁକ୍ତିନାମା ପାଳନ କରିବା ସର୍ତ୍ତ ସହିତ ଦିଆଯାଉଛି।
ମାସ ମାସ ଧରି ପେଟିଏମ୍ ର ପ୍ରଦର୍ଶନର ସମୀକ୍ଷା କରିବା ପରେ ନ୍ୟାସନାଲ ପେମେଣ୍ଟକର୍ପୋରେସନ୍ ଅଫ୍ ଇଣ୍ଡିଆ ଏହି ଅନୁମତି ଜାରି କରିଛି।
ପେଟିଏମ୍ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଏକ୍ସଚେଞ୍ଜ ଫାଇଲିଂରେ କହିଛି ଯେ ନ୍ୟାସନାଲ ପେମେଣ୍ଟକର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ସମସ୍ତ ଏନପିସିଆଇ ସର୍ତ୍ତ ସହିତ ନୂତନ ୟୁପିଆଇ ଉପଭୋକ୍ତାଙ୍କୁ ଯୋଡିବା ପାଇଁ କମ୍ପାନୀକୁ ଅନୁମୋଦନ ଦେଇଛି। ଅକ୍ଟୋବର ୨୨, ୨୦୨୪ରେ କମ୍ପାନୀକୁ ଏହି ଚିଠି ଜାରି କରାଯାଇଥିଲା।
କିଛି ମାସ ତଳେ ଯେତେବେଳେ ଏହି ଖବର ପେଟିଏମ୍ ର ସେୟାରରେ ବଡ଼ ଧରଣର ହ୍ରାସ ଆଣିଥିଲା, ସେତେବେଳେ କଳ୍ପନାଜଳ୍ପନା ଚାଲିଥିଲା ଏବଂ ଖବର ଆସିଥିଲା ଯେ ପେଟିଏମ୍ ପାଇଁ ଏହି ଝଟକା ବହୁତ ବଡ଼ ଏବଂ କମ୍ପାନୀ ଏଥିରୁ ମୁକୁଳିବାରେ ସକ୍ଷମ ହେବ ନାହିଁ, ଯଦିଓ ନୋଏଡାସ୍ଥିତ କମ୍ପାନୀ ପେଟିଏମ୍ ର ସେୟାରରେ ଉତ୍ଥାନ-ପତନ ପରେ ମଧ୍ୟ ଏହା ଦୃଢ଼ ରହିଥିଲା ଏବଂ ବର୍ତ୍ତମାନ ନୂତନ ୟୁପିଆଇ ବ୍ୟବହାରକାରୀଙ୍କୁ ଯୋଡିବା ପାଇଁ ଅନୁମତି ମିଳିବା ପରେ ଏହାର ଷ୍ଟକ୍ ଆଜିଠାରୁ ଫେରିବ ସମ୍ଭବ ଦେଖାଯାଉଛି।
ଅଧିକ ଖବର: ସୁଧ ହାର କମାଇବାକୁ ନେଇ ଏମିତି କହିଲେ ଆରବିଆଇ ଗଭର୍ଣ୍ଣର