କୋଲକାତା: ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟା ପଶ୍ଚିମବଙ୍ଗର ସିଙ୍ଗୁରରେ ଏକ କାର ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ରତନ ଟାଟାଙ୍କ ଏହି ସ୍ବପ୍ନ ପୂରା କରିବାକୁ ଦେଇ ନଥିଲେ ତତ୍କାଳୀନ ବିରୋଧୀ ଦଳ ନେତ୍ରୀ ମମତା ବାନାର୍ଜୀ। ବର୍ତ୍ତମାନର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେହି ସମୟରେ ବିରୋଧ କରିଥିଲେ। ଏଥି ଯୋଗୁଁ ଟାଟାଙ୍କୁ ଅତ୍ୟନ୍ତ ଦୁଃଖିତ ହୃଦୟରେ ଏଠାରୁ ନିଜର ମହତ୍ୱାକାଂକ୍ଷୀ ନାନୋ କାର୍ ପ୍ରକଳ୍ପ କାମ ଅଟକାଇବାକୁ ପଡ଼ିଥିଲା। ରତନ ଟାଟା ଏହାକୁ ନେଇ ଗଣମାଧ୍ୟମ ଆଗରେ ଅନେକ ସମୟରେ ଚର୍ଚ୍ଚା କରିଥିଲେ।
୨୦୦୬ ମେ’ ମାସ ୧୮ ତାରିଖରେ ରତନ ଟାଟା ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାର ସିଙ୍ଗୁରରେ ନାନୋ କାର୍ ପ୍ରକଳ୍ପ ଘୋଷଣା କରିଥିଲେ। ସେତେବେଳେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ତତ୍କାଳୀନ ବାମପନ୍ଥୀ ସରକାର ସେତେବେଳେ ଦାବି କରିଥିଲେ ଯେ ଏହି ପ୍ରକଳ୍ପ ରାଜ୍ୟରେ ଶିଳ୍ପାୟନର ଚେହେରା ବଦଳାଇଦେବ।
ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦୦ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ମମତା ବାନାର୍ଜୀ ବିରୋଧୀ ଦଳ ନେତା ଭାବରେ ୨୦୦୬ ଡିସେମ୍ବର ୩ରୁ କୋଲକାତାରେ ଜମି ଅଧିଗ୍ରହଣ ବିରୋଧରେ ଆମରଣ ଅନଶନ ଆରମ୍ଭ କରିଥିଲେ।
୨୪ ଅଗଷ୍ଟ ୨୦୦୮ରେ ମମତା ବାନାର୍ଜୀ ସିଙ୍ଗୁରରେ ଏହି ପ୍ରକଳ୍ପ ପାଇଁ ଅଧିଗ୍ରହଣ କରାଯାଇଥିବା ୪୦୦ ଏକର ୧୦୦୦ ଏକର ଜମି ଫେରାଇଦେବା ଦାବିରେ ଦୁର୍ଗାପୁର ଏକ୍ସପ୍ରେସ୍ ରାଜପଥରେ ବିକ୍ଷୋଭ ଆରମ୍ଭ କରିଥିଲେ। ୨୦୦୮ ମସିହା ଅକ୍ଟୋବର ୩ ତାରିଖରେ ରାଜ୍ୟର ସର୍ବବୃହତ ପର୍ବ ଦୁର୍ଗାପୂଜାର ମାତ୍ର ଦୁଇ ଦିନ ପୂର୍ବରୁ ରତନ ଟାଟା କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ଯେ ଲଖତକିଆ କାର୍ ପ୍ରକଳ୍ପକୁ ସିଙ୍ଗୁରରୁ ହଟାଇ ଦିଆଯିବ।
ଏଥିପାଇଁ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଚାଲିଥିବା ତୃଣମୂଳ କଂଗ୍ରେସ ଆନ୍ଦୋଳନକୁ ରତନ ଟାଟା ଦାୟୀ କରିଥିଲେ। ନାନୋ କାରଖାନାକୁ ଗୁଜରାଟର ସାନନ୍ଦକୁ ସ୍ଥାନାନ୍ତର କରାଯାଇଥିଲା। ଦୀର୍ଘ ଦିନ ଧରି ଅଦାଲତକାର୍ଯ୍ୟ କରିବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୬ ଅଗଷ୍ଟ ୩୧ତାରିଖରେ ଚାଷୀଙ୍କୁ ଜମି ଫେରାଇ ଦିଆଯାଇଥିଲା। କିଛି ସମୟ ପରେ ସେଠାରେ କିଛି ଜମିରେ ଚାଷ ଆରମ୍ଭ ହୋଇଥିଲା। ନିକଟରେ ଏକ ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲ ଟାଟା ମୋଟର୍ସକୁ ସିଙ୍ଗୁରରେ ନାନୋ କାର୍ ପ୍ରକଳ୍ପ ଅଟକିଯିବା କାରଣରୁ ହୋଇଥିବା କ୍ଷତି ପାଇଁ କ୍ଷତିପୂରଣ ବାବଦରେ ପ୍ରାୟ ୭୬୬ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଅଧିକ ପଢ଼ନ୍ତୁ: ସରଳ ଜୀବନଯାପନ କରୁଥିଲେ ରତନ ଟାଟା