ନୂଆଦିଲ୍ଲୀ: ଜିଏସଟି ସ୍ଲାବରେ ପରିବର୍ତ୍ତନ ପରେ କମ୍ପାନୀଗୁଡ଼ିକ ଏବେ ଏହାର ଲାଭ ସିଧାସଳଖ ଗ୍ରାହକଙ୍କୁ ଦେବାକୁ ପ୍ରସ୍ତୁତି କରୁଛନ୍ତି । ଏହି କ୍ରମରେ ଅମୂଲ ବ୍ରାଣ୍ଡ ଅଧୀନରେ କ୍ଷୀର ଉତ୍ପାଦ ବଜାର କରୁଥିବା ଜିସିଏମଏମଏଫ ଶନିବାର ଘିଅ, ବଟର, ଆଇସକ୍ରିମ, ବେକେରୀ ଏବଂ ଫ୍ରୋଜେନ୍ ସ୍ନାକ୍ସ ସମେତ ୭୦୦ ରୁ ଅଧିକ ଉତ୍ପାଦର ପ୍ୟାକେଟ ଉପରୁ ଖୁଚୁରା ମୂଲ୍ୟ ହ୍ରାସ କରିଛି।
ହ୍ରାସ ହୋଇଥିବା ଉତ୍ପାଦ ମୂଲ୍ୟ
ନୂତନ ମୂଲ୍ୟ ସେପ୍ଟେମ୍ବର ୨୨ ରୁ କାର୍ଯ୍ୟକାରୀ ହେବ। ଏକ ପ୍ରେସ ରିଲିଜରେ, ଗୁଜରାଟ ସମବାୟ କ୍ଷୀର ମାର୍କେଟିଂ ଫେଡେରେସନ (ଜିସିଏମଏମଏଫ) ୭୦୦ ରୁ ଅଧିକ ଉତ୍ପାଦ ପ୍ୟାକର ମୂଲ୍ୟ ହ୍ରାସ ଘୋଷଣା କରିଛି । କମ୍ପାନିର ଏହି ପଦକ୍ଷେପ ନିଶ୍ଚିତ କରିବ ଯେ ଗ୍ରାହକମାନେ ଜିଏସଟି ହ୍ରାସର ସମ୍ପୂର୍ଣ୍ଣ ଲାଭ ପାଇବେ। ଏହି ସଂଶୋଧନ ୨୦୨୫ ସେପ୍ଟେମ୍ବର ୨୨ରୁ କାର୍ୟ୍ୟକାରୀ ହେବ।
ଜିସିଏମଏମଏଫ କହିଛି, "ଏହି ସଂଶୋଧନ ବଟର, ଘିଅ, ୟୁଏଚଟି କ୍ଷୀର, ଆଇସକ୍ରିମ, ପନିର, ଚକୋଲେଟ୍, ବେକେରୀ ଉତ୍ପାଦ, ଫ୍ରୋଜେନ୍ କ୍ଷୀର ଏବଂ ଆଳୁ ସ୍ନାକ୍ସ, କଣ୍ଡେନ୍ସଡ୍ କ୍ଷୀର, ଚିନାବାଦାମ ସ୍ପ୍ରେଡ୍, ମାଲ୍ଟ-ଆଧାରିତ ପାନୀୟ ଭଳି ଉତ୍ପାଦ ବର୍ଗରେ କରାଯାଇଛି। ବଟର (୧୦୦ ଗ୍ରାମ)ର ସର୍ବାଧିକ ଖୁଚୁରା ମୂଲ୍ୟ ୬୨ ଟଙ୍କାରୁ ୫୮ ଟଙ୍କାକୁ ହ୍ରାସ କରାଯାଇଛି । ଘିଅର ମୂଲ୍ୟ ୪୦ ଟଙ୍କା ହ୍ରାସ କରି ୬୧୦ ଟଙ୍କା କରାଯାଇଛି।"
ସେହିପରି, ଅମୂଲ ପ୍ରକ୍ରିୟାକୃତ ପନିର (ଏକ କିଲୋଗ୍ରାମ)ର ସର୍ବାଧିକ ଖୁଚୁରା ମୂଲ୍ୟ ୩୦ ଟଙ୍କା ହ୍ରାସ କରି ୫୪୫ ଟଙ୍କା କରାଯାଇଛି। ଫ୍ରୋଜେନ୍ ପନିର (୨୦୦ ଗ୍ରାମ)ର ନୂତନ ସର୍ବାଧିକ ଖୁଚୁରା ମୂଲ୍ୟ ୯୫ ଟଙ୍କା ହେବ, ଯାହା ବର୍ତ୍ତମାନ ୯୯ ଟଙ୍କା ରହିଛି ।
"ଅମୂଲ କହିଛି ମୂଲ୍ୟ ହ୍ରାସ ଦ୍ୱାରା ଦୁଗ୍ଧଜାତ ଦ୍ରବ୍ୟ, ବିଶେଷକରି ଆଇସକ୍ରିମ, ପନିର ଏବଂ ବଟରର ବ୍ୟବହାର ବୃଦ୍ଧି ପାଇବ, କାରଣ ଭାରତରେ ମୁଣ୍ଡପିଛା ବ୍ୟବହାର ଏପର୍ୟ୍ୟନ୍ତ ବହୁତ କମ୍ ଅଛି। ପୂର୍ବରୁ, ମଦର ଡେରୀ ମଧ୍ୟ ସେପ୍ଟେମ୍ବର ୨୨ରୁ ଏହାର ଉତ୍ପାଦଗୁଡ଼ିକର ମୂଲ୍ୟ ହ୍ରାସ ଘୋଷଣା କରିଥିଲା।
Also read: ଏଚ-୧ବି ଭିସାରେ ଆସିଥିବା ଭାରତୀୟଙ୍କୁ ତୁରନ୍ତ ଆମେରିକା ଫେରିବା ଆବଶ୍ୟକ ନାହିଁ, ଟ୍ରମ୍ପ ପ୍ରଶାସନର ବଡ ଆଶ୍ୱସ୍ତି