ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମା, ବଜାରରେ ଡ୍ରାଗନ ଡଙ୍ଗା ଓ ବୋଟ୍ ଡଙ୍ଗାର ପସରା, ଲିଙ୍ଗରାଜଙ୍କ ପୀଠରେ ବ୍ୟାପକ ବ୍ୟବସ୍ଥା
Khabar Odisha:state-odisha-kartika-purnima-preparation-in-lingaraj-temple
ଭୁବନେଶ୍ଵର, ନଭେମ୍ଵର ୧୧ (ଖବର ଓଡିଶା) :

ଆଉ କିଛି ଘଣ୍ଟାର ଅପେକ୍ଷା। ଆସନ୍ତା କାଲି କାର୍ତ୍ତକ ପୂର୍ଣ୍ଣିମା। ଭକ୍ତମାନେ କାର୍ତ୍ତିକ ବ୍ରତ ଉଦଯାପନ କରି ବୋଇତ ବନ୍ଦାଇବାର ପରମ୍ପରା ରହିଛି। ଆ କା ମା ବୈ, ପାନ ଗୁଆ ଥୋଇ ଶ୍ରଦ୍ଧାଳୁମାନେ କାର୍ତ୍ତିକ ବ୍ରତ ଉଦଯାପନ କରିବେ। ତେଣୁ ଏଥିପାଇଁ ଚଳଚଞ୍ଚଳ ସମସ୍ତ ଶୈବପୀଠ। ସେପଟେ ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଆସନ୍ତା କାଲି ପାଇଁ ଲିଙ୍ଗରାଜ ମନ୍ଦିର ଏବଂ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। 

ଡଙ୍ଗା ଭସାଣ ପାଇଁ ଆସନ୍ତାକାଲି ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ବିନ୍ଦୁସାଗରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଭୋର ୩ଟାରୁ ସକାଳ ୧୦ଟା ଯାଏଁ ଲିଙ୍ଗରାଜଙ୍କ ସାହାଣମେଲା ଦର୍ଶନ କରିପାରିବେ। ସେପଟେ ପୁରୀରେ ପଞ୍ଚୁକର ଶେଷ ଦିନରେ ମହାପ୍ରଭୂ ରାଜରାଜେଶ୍ଵର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ।

ଡଙ୍ଗା ଭସାଣକୁ ଦୃଷ୍ଟିରେ ରଖି ବଜାରରେ ବିକ୍ରୀ ହେଉଛି ଭଳିକି ଭଳି ଡଙ୍ଗା। ଚଳିତ ବର୍ଷ ସୋଲ ଡଙ୍ଗା ଉପରେ କଟକଣା ଲାଗିଥିବାରୁ ଏଥର କାର୍ଡବୋର୍ଡ ଡଙ୍ଗାର ଚାହିଦା ଅଧିକ ରହିଛି। ସେହି ସମୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ବିନ୍ଦୁସାଗରରେ ଏକ ବିଶାଳ ବୋଇତ ଭସାଇବାକୁ ବ୍ୟବସ୍ଥା କରାଯାଇଛି। ଏହି ବୋଇତର ଲମ୍ଵ ୧୪ ଫୁଟ ଉଚ୍ଚତା ୭ଫୁଟ ରହିଛି। କାଠ, ସୋଲ, ରଙ୍ଗ ଓ ଝାଲେରୀରେ ଏହାକୁ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଉତ୍କଳ ଗୌରବ ବହନ କରୁଥିବା ଓଡିଆ ସାଧବ ପୁଅଙ୍କୁ ସ୍ଥାନିତ କରାଯାଇଛି। ତେବେ ଡଙ୍ଗା ବ୍ୟବସାୟୀମାନେ ଏଥର ଲାଭ ଆଶା ରଖିଥିବା ବେଳେ ଗ୍ରାହକମାନେ ଗତ ବର୍ଷଠାରୁ ଡଙ୍ଗା ଦର ଚଢା ରହିଛି ବୋଲି କହିଛନ୍ତି। ବଜାରରେ ଏଥର ଡ୍ରାଗନ ଡଙ୍ଗା ଓ ବୋଟ୍ ଡଙ୍ଗାର ବେଶ୍ ଚାହିଦା ରହିଛି। 

Subscribe

National International State Sports Entertainment