ପୁରୀ: ସରିଲା ପାର୍ବଣ ଋତୁ, ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି । ରାଧା ଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଶ୍ରୀମନ୍ଦିରରେ ଆରମ୍ଭ ହେବ କାର୍ତ୍ତିକ ମାସ ବାଳଧୂପ ନୀତି । ଆଶ୍ୱିନ ଶୁକ୍ଳ ଏକାଦଶୀରୁ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
କାର୍ତ୍ତିକ ମାସରେ ରାତ୍ର ୧୨ଟାରେ ପହୁଡ଼ ସମ୍ପନ୍ନ ହୋଇ ରାତି ୪ଟାରେ ଦ୍ୱାର ଫିଟାଯିବ । ସାଢେ ୪ଟାରେ ଭିତର ଶୋଧ କରାଯାଇ ଭୋର ୫ଟାରେ ମଙ୍ଗଳ ଆଳତି କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି । ଧର୍ମମାସ କାର୍ତ୍ତିକର ମୁଖ୍ୟ ଆକର୍ଷଣ ରାଧା ଦାମୋଦର ବେଶ ସକାଳ ସାଢେ ୬ଟାରୁ ସାଢେ ୭ଟାରେ ସମ୍ପନ୍ନ ହେବ । ସାଢେ ୮ଟାରୁ ୯ଟା ସକାଳ ଧୂପ (କେବଳ କୋଠଭୋଗ) ପରେ ପୂର୍ବାହ୍ନ ୧୦ଟାରୁ ସାଢେ ୧୦ଟା ମଧ୍ୟରେ ବାଳଧୂପ ବଢିବ ।
ପ୍ରତ୍ୟହ ଆଳତି ଅବକାଶ ପରେ ରାଧା-ଦାମୋଦର ବେଶ ହୋଇ ଗୋପାଳବଲ୍ଲଭ ଭୋଗ ହେବ । ରାଧା-ଦାମୋଦର ବେଶରେ ଦିଅଁମାନେ ୩୦ ମୂର୍ତ୍ତି ସୁନା ଅଳଙ୍କାର ଲାଗି ହୁଅନ୍ତି । ତାହା ହେଲା- ନଳୀଭୁଜ-୪, କୁଣ୍ଡଳ-୪, ତିଳକ-୨, ଆଡ଼କାନି-୪, ଚନ୍ଦ୍ରିକା-୨, ଚନ୍ଦ୍ରସୂର୍ଯ୍ୟ-୬, ତଡ଼କୀ- ୨, ଓଡ଼ିଆଣୀ-୩, ମାଳି-୩ (ମୋଟ-୩୦) ।
ସେହିପରି ପଞ୍ଚୁକକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଥିବାବେଳେ ଅନ୍ୟ ଏହାର ତାରିଖ ନିର୍ଘଣ୍ଟ ହୋଇଛି । ରାଧା ଦାମୋଦର ବେଶ ପରେ ପଞ୍ଚୁକ ଚାଲିବ । ଚଳିତବର୍ଷ ପଞ୍ଚୁକ ୪ ଦିନ ପଡିଛି । ଫଳରେ ଏଥର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ । ନଭେମ୍ବର ୧୨ ତାରିଖରେ ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ସହିତ ହରି ଉତ୍ଥାପନ ନୀତି ରହିଛି ।