ଆଜି ଶ୍ରୀଜୀଉଙ୍କ ମସ୍ତକରେ ଲାଗି ହେବ ଚିତା, ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ଦର୍ଶନ ବନ୍ଦ
Khabar Odisha:chitalagi-amabasya-to-celebrate-at-shree-mandir
ପୁରୀ, ଅଗଷ୍ଟ ୦୧ (ଖବର ଓଡ଼ିଶା):

ଆଜି ହେଉଛି ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଘରେ ଘରେ ଚିତଉ ପିଠା ପ୍ରସ୍ତୁତ କରାଯାଉଛି । ନଡ଼ିଆ ଓ ଅରୁଆ ଚାଉଳରେ ଏହି ସ୍ୱତନ୍ତ୍ର ପିଠା ପ୍ରସ୍ତୁତ କରାଯାଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଲଲାଟରେ ଚିତାଲାଗି କରିବେ ।

ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜୀଉଙ୍କ ଲଲାଟରୁ ଚିତା ଉଲାଗି କରାଯାଇଥାଏ ତାହା ପୁଣି ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଲାଗି କରାଯାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନିଳ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି କରାଯାଏ । ପରମ୍ପରା ଏବଂ ବିଧିମୁତାବକ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ। ଶ୍ରୀବିଗ୍ରହଙ୍କ ମସ୍ତକରେ ପରିଧାନ କରାଇଥାନ୍ତି । ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ । ରଥଯାତ୍ରା ସମୟରେ ତିନି ଠାକୁରଙ୍କ ମସ୍ତକରେ ସୋଲରେ ତିଆରି ସ୍ୱତନ୍ତ୍ର ଚିତା ଲାଗି କରାଯାଇଥାଏ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ଦୁଇଟା ସନ୍ଧ୍ୟା ଛ’ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପରେ ସ୍ୱତନ୍ତ୍ର ଚିତଉ ପିଠା ମହାପ୍ରଭୁଙ୍କ ନିକଟରେ ଲାଗି କରାଯିବ ।

ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ "ଗେଣ୍ଡାକଟା ଅମାବାସ୍ୟା" କୁହାଯାଏ । ଗେଣ୍ଡାମାନେ ଫସଲ କାଟି ନଷ୍ଟ କରିବା ସହିତ ଚାଷୀମାନଙ୍କ ପାଦ ମଧ୍ୟ କାଟି ଦେଇଥାଆନ୍ତି । ସେଥିପାଇଁ ଗେଣ୍ଡା ଓ ଜଳଚର ପ୍ରାଣୀଙ୍କୁ ପିଠା ଖାଇବାକୁ ଦିଆଯାଇଥାଏ । 

  • Tags:

Subscribe

National International State Sports Entertainment