ଭୁବନେଶ୍ୱର,ନଭେମ୍ବର 30 (ଖବର ଓଡିଶା)
ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଏବଂ ମହାପ୍ରଭୁଙ୍କ ନିର୍ମାଲ୍ୟ ଟିକିଏ ପାଇବା ପାଇଁ ଭକ୍ତ କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଥାନ୍ତି । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟ ଅନ୍ଲାଇନ୍ ସାଇଟ୍ ଆମାଜନରେ ମିଳୁଥିବା ଅଭିଯୋଗକୁ ନେଇ ବିବାଦ ତେଜିବାରେ ଲାଗିଛି । ଜଗନ୍ନାଥ ତାଙ୍କ ଭକ୍ତଙ୍କୁ 'ମୋତେ ନିନ୍ଦିବୁ ପଛେ ମୋ କୈବଲ୍ୟକୁ ନିନ୍ଦିବୁନି' ବୋଲି କହିଥିବା ଏକ ପୁରାଣ ବର୍ଣ୍ଣିତ ବିଶ୍ୱାସ ରହିଛି । ଏହି ପବିତ୍ର ନିର୍ମାଲ୍ୟ ବିକ୍ରି ହେଉଛି ଅନଲାଇନରେ । ଏହି ଘଟଣାକୁ ନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ବିଶ୍ୱର ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ ଅନଲାଇନ୍ ରେ ନିର୍ମାଲ୍ୟ ବିକ୍ରି କରୁଛି । କିନ୍ତୁ ଏପରି ବିକ୍ରି ପ୍ରକ୍ରିୟାରେ କୈବଲ୍ୟ ଏବଂ ମହାପ୍ରଭୁଙ୍କ ମହାତ୍ମ୍ୟ ପ୍ରତି ଆଞ୍ଚ୍ ଆସୁଛି ବୋଲି ସେବାୟତଙ୍କ ପକ୍ଷରୁ ଅଭିଯୋଗ ହୋଇଛି । କେଉଁ ଆଧାରା ଅନୁମତିରେ ଆମାଜନ ଇଣ୍ଡିଆ ଅନଲାଇନ୍ ରେ କୈବଲ୍ୟ ବିକ୍ରି କରୁଛି ବୋଲି ପ୍ରଶ୍ନ ସହ କାର୍ଯ୍ୟାନୁଷ୍ଠାନ ଅନୁରୋଧ କରି ସେବାୟତଙ୍କ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି ଶ୍ରୀମନ୍ଦିର ସେବାୟତ ଶମ୍ବୁନାଥ ଖୁଣ୍ଟିଆ ଏହି ଘଟଣାକୁ ନେଇ ଆମାଜନ ଇଣ୍ତିଆ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି । ଦୀର୍ଘଦିନ ହେବ ଆମାଜନ ଇଣ୍ଡିଆ ମହାପ୍ରଭୁଙ୍କ ଏହି ନିର୍ମାଲ୍ୟକୁ ନିଜ ୱେବସାଇଟ ମାଧ୍ୟମରେ ଚଢା ଦରରେ ବିକ୍ରି କରି ଆସୁଛି ।