ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା , ଚାଲିବ କଂସଙ୍କ ରାଜୁତି
Khabar Odisha:World-famous-Bargarh-Yatra-Begins-from-today
ଖବର ଓଡିଶା : 27/12/2022

ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଦୀର୍ଘ 11 ଦିନ ଧରି ଚାଲିବ କଂସ ମହାରାଜଙ୍କ ଶାସନ । ଦ୍ବାପର ଯୁଗକୁ ଫେରିଯିବ ବରଗଡ଼ । ଚାଲିବ ମହାରାଜା କଂସଙ୍କ ରାଜୁତି | ଏପଟେ ବରଗଡ ପାଲଟିବ ମଥୁରା ନଗରୀ ଆଉ ସେପଟେ ଅମ୍ବାପାଲି ହେବ ଗୋପପୁର । ବରଗଡ଼-ଅମ୍ବାପାଲି ମଧ୍ୟ ଦେଇ ପ୍ରବାହିତ ଜୀରାନଦୀ ପାଲିଟିବ ଯମୁନା ନଦୀ ।

ସଜେଇ ହୋଇଛି ମଥୁରା ଓ ଗୋପପୁର | ରାସ୍ତାରେ ରଙ୍ଗବେରଙ୍ଗର ଝୋଟି ସହ ଘର କାନ୍ଥରେ ଦ୍ୱାପର ଯୁଗର କୃଷ୍ଣ, ବଳରାମ, ନନ୍ଦ, ଯଶୋଦା ଆଦିଙ୍କ ଚିତ୍ର ସବୁ ଅଙ୍କାଯାଇଛି | 11 ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୀତ ହେବ ପୌରାଣିକ କଥାବସ୍ତୁ । ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା ହଟିଥିବା ବେଳେ ଧନୁଯାତ୍ରାକୁ ସରସ ସୁନ୍ଦର କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଆଲୋକ ମାଳାରେ ଝଲସୁଛି ପୁରା ବରଗଡ଼ ସହର । ମୀନାବଜାର ସହ ଓଟ ଓ ହାତୀ ପହଞ୍ଚିସାରିଥିବା ବେଳେ ରଙ୍ଗୀନ ଆଲୋକର ସାଜସଜ୍ଜାରେ ଝଲସୁଛି ବରଗଡ଼ ଓ ଅମ୍ବାପାଲି । ଆଜି ଅପରାହ୍ନ 2ଟା 30ରେ ଗାନ୍ଧି ଛକରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ରାସ୍ତା ଦେଇ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିବ। ଏଥିରେ ଯୋଗ ଦେବେ ରାଜ୍ୟ ତଥା ରାଜ୍ୟ ବାହାରର 20ଟି ସାଂସ୍କୃତିକ ଦଳ। ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସଂଧ୍ୟା 6ଟାରେ ସେହି ଶୋଭାଯାତ୍ରା ହାଟପଦାରେ ଥିବା କଂସ ମହାରାଜଙ୍କ ରାଜଦରବାରରେ ପହଞ୍ଚିବ। ଏହାପରେ ଆରମ୍ଭ ହେବ ଉଦଘାଟନୀ ଉତ୍ସବ। ମୁଖ୍ୟ ଅତିଥି ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଧନୁଯାତ୍ରାର ଉଦଘାଟନ କରିବେ।

Subscribe

National International State Sports Entertainment