ସବୁ ମାସ ମଧ୍ୟରେ ସବୁଠାରୁ ପବିତ୍ର ମାସ ହେଉଛି କାର୍ତ୍ତିକ ମାସ । ଏହି ମାସରେ କାର୍ତ୍ତିକ ବ୍ରତ ପାଳନ କରାଯାଇ ଥାଏ । ଆଜି ହେଉଛି କାର୍ତ୍ତିକ ବ୍ରତର ତୃତୀୟ ଦିନ । ଏହି ଅବସରରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶର ଦର୍ଶନ କରିପାରିବେ ସମସ୍ତ ବ୍ରତଧାରୀ ମାନେ । ଆଜିର ଦିନରେ ସମସ୍ତ ବ୍ରତଧାରୀ ମାନେ ବଢି ଭୋରରୁ ଉଠି ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀ ସ୍ନାନ କରିଛନ୍ତି । ଏହାପରେ ଗୁଆ ଏବଂ ନଡ଼ିଆ ଦେଇ ମା ବୃନ୍ଦାବତୀଙ୍କ ନିକଟରେ ସଂକଳ୍ପ କରି ପୂଜା ଆରମ୍ଭ କରିଛନ୍ତି ।
ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରୁଛନ୍ତି ହବିଷ୍ୟାଳି । ଏହି ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଛି । ସମସ୍ତ ହବିଷ୍ୟାଳିମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ଅନୁଯାୟୀ ଅନେକ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପାଇଁ ସକାଳ ଚା ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସହ ସଂଧ୍ୟାବେଳେ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି । ଏହାସହ କାର୍ତ୍ତିକ ମାସର ମାହାତ୍ମ୍ୟ ସହ ଭଜନ କୀର୍ତ୍ତନର ଆଯୋଜନ ମଧ୍ୟ କରାଯାଇଛି ।