ଆଜି ହେଉଛି ପବିତ୍ର ଶ୍ରାବଣମାସର ୪ର୍ଥ ସୋମବାର | ଆରଡିପୀଠର ଅଧିଶ୍ବର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ଲାଗି ରାଜ୍ଯ ଓ ରାଜ୍ଯ ବାହାରୁ ହଜାରହଜାର କାଉଡିଆଙ୍କ ଭିଡ ପୀଠରେ ଦେଖିବାକୁ ମିଳିଛି । ଦେହରେ ଗେରୁଆ ବସ୍ତ୍ର ଆଉ ତୁଣ୍ଡରେ ଶିବ ନାମ ଏକ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି କରିଛି। ବୋଲବମ ହରହରବୋମ...!! ଧ୍ବନିରେ ପ୍ରକମ୍ପିତ ହୋଇ ଉଠୁଛି ସମଗ୍ର ଆରଡିପୀଠ। ପୀଠରେ ରବିବାର ସଂଧ୍ଯାରୁ କାଉଡିଆଙ୍କ ଭିଡ ବଢିବା ସହ ମଧ୍ଯ ରାତ୍ରରୁ କାଉଡିଆଭକ୍ତ ବ୍ଯାରିକେଟରେ ଯାଇ ଜଳାଭିଷେକ କରୁଛନ୍ତି। ଅନ୍ଯପଟେ ନଦୀ ପାର ହୋଇ ଆସୁଥିବା ହଜାରହଜାର କାଉଡିଆଭକ୍ତ ଯେପରି ସୁରକ୍ଷିତ ଭାବେ ଡଙ୍ଗାରେ ଆସିବେ ସେଥିପାଇଁ ନଦୀର ଉଭୟ ପଟରେ ଓଡ୍ରାଫଟିମ ସହ ଅଗ୍ନିଶମ ବାହିନୀ ଓ ପୋଲିସଙ୍କୁ ମୁତୟନ କରାଯାଇଛି । ପୋଲିସ ପକ୍ଷରୁ ସ୍ଥଳପଥ ଓ ଜଳପଥରେ ତ୍ରିସ୍ତରୀୟ ବ୍ଯବସ୍ଥା ସହ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା ମଧ୍ୟ କରାଯାଇଛି।