ଆଜି ସାବିତ୍ରୀ ଓଷା । ପ୍ରତିବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳିଥାନ୍ତି ସଧବା ନାରୀ । ଆଜି ରାଜ୍ୟର ସବୁଠି ସଧବା ମହିଳାମାନେ ମହାସତୀ ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରୁଛନ୍ତି। କେହି କେହି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି ତ ପୁଣି ଅନ୍ୟମାନେ ଘରକୁ ପୂଜକଙ୍କୁ ଡକାଇ ପୂଜା କରୁଛନ୍ତି। ଆଜୀବନ ସଧବା ରହିବାକୁ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି । ସାବିତ୍ରୀ ବ୍ରତଧାରୀ ମହିଳା ମାନେ ନୂଆ ଶାଢ଼ି, ଚୁଡ଼ି, ଫଳମୂଳ ଓ ପୂଜା ସାମଗ୍ରୀ ଧରି ମନ୍ଦିରକୁ ପୂଜା କରିବାକୁ ଯାଇଥାନ୍ତି। ସାବିତ୍ରୀ ବ୍ରତ ନେଇ ବିଭିନ୍ନ ମନ୍ଦିର ମାନଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ପୂଜା ବଜାରରେ ମଧ୍ୟ ଭିଡ ପରିଲିକ୍ଷିତ ହେଉଛି।
ଓଡିଆ ଘରର ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାଆନ୍ତି । ହିନ୍ଦୁ ମହିଳାମାନେ ପ୍ରତିବର୍ଷ ଏହି ଦିନକୁ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି । ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ । ରାଜ୍ୟର ବିଭିନ୍ନ ପୀଠରେ ସକାଳୁ ସକାଳୁ ପୂଜା କରିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା । ନୂଆ ଶାଢୀ, ସଙ୍ଖା, ସିନ୍ଦୁର ଓ ଅଳତା ନେଇ ପୂଜାର୍ଚ୍ଚନା କରୁଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ । ବିଶେଷ କରି ଆମ୍ବ, ପଣସ, ନଡ଼ିଆ, ଫୁଟି କାକୁଡି, ତାଳ, ଖଜୁରୀ ଆଦି ଦେଶୀ ଫଳରେ ପୂଜା କରୁଛନ୍ତି ।