ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା । ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ, ଅଷ୍ଟାଦଶ ପୁରାଣ,ବେଦାନ୍ତ ଦର୍ଶନ ପ୍ରଭୃତିର ରଚୟିତା ମହର୍ଷି ବ୍ୟାସଦେବଙ୍କର ଆଜି ହେଉଛି ଜନ୍ମତିଥି। ପୁରାଣରେ ବ୍ୟାସଦେବ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣିତ ରହିଛି। ଋଷି ପରାଶରଙ୍କ ଔରସରେ ମତ୍ସ୍ୟଗନ୍ଧା ସତ୍ୟବତୀଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବ ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ୱୀପରେ ଜନ୍ମ ଗ୍ରହଣ କରିଥିଲେ । ମହର୍ଷି ବ୍ୟାସଦେବଙ୍କୁ ସୃଷ୍ଟିର ପ୍ରଥମ ଗୁରୁ ବୋଲି ମନେକରାଯାଏ। ସେ ତାଙ୍କ ମହାନ୍ ସୃଷ୍ଟି ମାଧ୍ୟମରେ ଯୁଗଯୁଗ ପାଇଁ ଏ’ ମାନବ ଜାତିକୁ ମହାନ ଶିକ୍ଷା ଦେଇ ଯାଇଛନ୍ତି । ତେଣୁ ଏହି ଦିନଟିକୁ ଗୁରୁଙ୍କ ଉଦ୍ଦେଶ୍ଯରେ ମଧ୍ଯ ପାଳନ କରାଯାଏ।
ପରମ୍ପରା କହେ ଗୁରୁମାନେ ନିଜ ଶିଷ୍ୟଙ୍କୁ ଅନ୍ଧକାରରୁ ଜ୍ଞାନର ଆଲୋକ ପ୍ରଦର୍ଶନ କରନ୍ତି। ଏଣୁ ଶାସ୍ତ୍ର କହେ 'ଗୁ’ କହିଲେ ଅନ୍ଧାର ଏବଂ ‘ରୁ’ ର ଅର୍ଥ ଅଜ୍ଞାନ ଅର୍ଥାତ୍ ଗୁରୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତ କରି ଆଲୋକ ପ୍ରଦର୍ଶନ କରନ୍ତି। ଗୁରୁ କଦାପି ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି। ଗୁରୁ ଅଟନ୍ତି ମହାମହିମ। ତେଣୁ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସ୍ବରୂପ ଅଟନ୍ତି ।
ତେବେ ହିନ୍ଦୁ ଏବଂ ବୌଦ୍ଧ ଧର୍ମରେ ଗୁରୁପୂର୍ଣ୍ଣିମା ପାଳନ କରାଯାଇଥାଏ ।ବୌଦ୍ଧ ଧର୍ମରେ ଦଳାଇଲାମାଙ୍କୁ ଗୁରୁ ଭାବରେ ପୂଜା କରାଯାଏ।