ଭୋଳାବାବାଙ୍କ ଭକ୍ତିରେ ଭୋଳ ହୋଇ ବେକ କାଟିଦେଲେ ଭକ୍ତ | ମହାଦେବଙ୍କ ଉଦ୍ଦେଶ୍ୟରେ ମସ୍ତକ ଅର୍ପଣ କରିବା ପାଇଁ ଜଣେ ୩୦ ବର୍ଷିୟ ଯୁବକ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶର ଲଲିତପୁରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।
ସୂଚନାନୁଯାୟୀ, ଯୁବକ ଜଣକ ଇଲେକ୍ଟ୍ରିକ୍ କଟର ମେସିନ ସାହାଯ୍ୟରେ ନିଜ ବେକ କାଟି ଦେଇଥିଲେ। ପରେ ତାଙ୍କୁ ଝାନ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣାପଡ଼ିଛି । ଗୁରୁତର ଯୁବକ ଜଣକ ହେଲେ ଲଲିତପୁର ଥାନା ଅନ୍ତର୍ଗତ ରଘୁନାଥପୁରା ଗାଁର ଦୀପକ କୁଶୱା । ମଙ୍ଗଳବାର ଦିନ ସେ ପ୍ରାୟ ସକାଳ ୪ଟା ସମୟରେ ପାଖ ଶିବ ମନ୍ଦିରକୁ ଯାଇଥିଲେ । ଆଉ ସେଠାରେ ଭଗବାନଙ୍କୁ ମୁଣ୍ଡ ଦେଇଦେବା ପାଇଁ ବେକରେ କଟର ମେସିନ ଚଳାଇ ଦେଇଥିଲେ । ଆଉ ତା’ପରେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ସ୍ତବ୍ଧ ହୋଇଯାଇଥିଲେ। ପରେ ଦୀପକଙ୍କୁ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଝାନ୍ସି ହସ୍ପିଟାଲକୁ ରେଫର କରାଯାଇଛି ।
ଦୀପକଙ୍କ ବାପା ପଲଟୁରାମଙ୍କ କହିବାନୁଯାୟୀ, ଦୀପକ କିଛି ଦିନ ହେବ ଭଗବାନଙ୍କ ପ୍ରେମରେ ବିଭୋର ହୋଇଯାଇଥିଲେ । ସବୁବେଳେ ପାଖରେ ରଖିଥିବା ଏକ ଡାଏରୀରେ ଶିବଙ୍କ ସମ୍ପର୍କରେ ଲେଖାଲେଖି କରୁଥିଲେ। ତେବେ ଶିବଙ୍କ ଉଦ୍ଦେଶ୍ୟରେ ମସ୍ତକ ଅର୍ପଣ କରିବା ପାଇଁ ଥିବା ଇଚ୍ଛା ମଧ୍ୟ ଡାଏରୀରେ ଉଲ୍ଲେଖ ଥିବା ପୋଲିସ ପକ୍ଷରୁ ପ୍ରକାଶ ପାଇଛି । ଅନେକ ସମୟରେ ଶିବଙ୍କ ଦର୍ଶନ ପାଇବା ପରେ ତଥା ତାଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଭକ୍ତ ବିଭିନ୍ନ ଅଦ୍ଭୁତ କାମ ସବୁ କରିଥାଆନ୍ତି । କିନ୍ତୁ ଏଭଳି ପାଗଳାମୀ କରିବା ବୋଧହୁଏ ପ୍ରଥମ ଥର ଦେଖିବା ପାଇଁ ମିଳିଛି ।