ଦୁଲୁକୁଛି ସମ୍ବଲପୁର :ଆରମ୍ଭ ହୋଇଛି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା
Khabar Odisha:The-famous-sitalsasti-festival-has-begun
ଖବର ଓଡିଶା : 22/05/2023:

ଦୁଲୁକୁଛି ସମ୍ବଲପୁର | ଆରମ୍ଭ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ସଂପୂର୍ଣ୍ଣ ଲୋକାଚାରର ଦୁଇ ବର୍ଷ ପରେ ଆଡମ୍ବର ଭାବେ ଶୀତଳଷଷ୍ଠୀ ଯାତ୍ରା ହେଉଥିବାରୁ ଲୋକ ଓ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।

ଶନିବାର  ଦେବଦେବ ମହାଦେବଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ଏହାପରେ ବରପିତା ଓ ସପ୍ତରୁଷି ବାହାରିଥିଲେ ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣରେ । ଏକ ଭବ୍ୟ ପଟୁଆରରେ ଘଣ୍ଟ, ଶଙ୍ଖ, ଦୁଲଦୁଲି, ଧମାଲ ବାଦ୍ୟର ତାଳେ ତାଳେ ପଟୁଆର ବାହାରିଥିଲା ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣରେ । କନ୍ୟା ଖୋଜି ଖୋଜି ବରପକ୍ଷ ପହଞ୍ଚିଥିଲେ ସମ୍ବଲପୁର ଜଗନ୍ନାଥ କଲୋନୀ ସ୍ଥିତ ରାଜେନ୍ଦ୍ର ନନ୍ଦ ଓ ସୁଲୋଚନା ନନ୍ଦଙ୍କ ଘରେ । ସେଠାରେ ବରପକ୍ଷ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହା ପରେ ମହାଦେବଙ୍କ ପାଇଁ ଏକ ସୁଯୋଗ୍ୟ କନ୍ୟା ଥିବା ଖବର ପାଇ ବରପକ୍ଷ ଆସିଥିବା କହିଥିଲେ । କନ୍ୟାପକ୍ଷ ରାଜି ହେବା ପରେ ସପ୍ତରୁଷିଙ୍କ ଉପସ୍ଥିତିରେ ଦେବୀ ପାର୍ବତୀଙ୍କୁ ବେଲ ପତ୍ର, ଫୁଲ ଏବଂ ଗୋଟିଏ ବିଡା ସରଗି ପତ୍ର ଦେଇ ବୋହୂ ହିସାବରେ ବାଛିଛନ୍ତି ବରପିତା । ନନ୍ଦପଡାର ଦେବାଧିଦେବ ମହାଦେବ ଓ ଜଗତଜନନୀ ମା’ ପାର୍ବତୀଙ୍କ ପତରପେଣ୍ଡି ବା ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି । ସେହିପରି ଆଜି ବାଲୁଙ୍କେଶ୍ୱରଙ୍କ ମହାଦେବଙ୍କ ବାହାଘର ପାଇଁ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ରହିଛି । ବାବା ବମ୍ ବରାଡ ବାଲୁଙ୍କେଶ୍ୱରଙ୍କ ବାହାଘରରେ ଯୋଗ ଦେବା ପାଇଁ ପ୍ରଭୁ ନୃସିଂହ ଓ ବିଭିନ୍ନ ଦେବାଦେବୀଙ୍କୁ ଗୁଆ ଦେଇ ନିମନ୍ତ୍ରଣ କରିବାକୁ ନୃସିଂହ ନିୟୁତା ପ୍ରକ୍ରିୟାକୁ କୁହାଯାଏ ।  

ଆଜି ସନ୍ଧ୍ୟାରେ ସମ୍ବଲପୁରର ଝାଡୁଆପଡ଼ାର ବାବା ଲୋକନାଥ, ମୁଦିପଡାର ବାବା ଜଗେଶ୍ୱର୍, ବଡ଼ବଜାରର ବାବା ଶୀତଲେଶ୍ୱର  ଓ ଠାକୁରପଡ଼ାର ବାବା ଗୁପ୍ତେଶ୍ୱରଙ୍କର ପତରପେଣ୍ଡି ହେବ। ଯାହାକୁ ନେଇ ସମ୍ୱଲପୁର ସହର ଉତ୍ସବମୁଖର ହୋଇଛି। ଘରେ ଘରେ ପିଠାପଣା ସାଙ୍ଗକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।

Subscribe

National International State Sports Entertainment