ଭୁବନେଶ୍ୱର, ମେ ୧୬( ଖବର ଓଡ଼ିଶା):
କରୋନା ମୁକାବିଲା କରୁଛି ଓଡିଶା । ମହାମାରୀ କରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ପାଣ୍ଠିରୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ମହାମାରୀ କରୋନା ବିରୁଦ୍ଧରେ ସାରା ବିଶ୍ୱ ଲଢ଼େଇ କରୁଛି ।ଭାରତ ସରକାର ମଧ୍ୟ ଏହି ଲଢେଇ ଜାରି ରଖିଛନ୍ତି । ସେହିପରି ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଅନେକ ପଦକ୍ଷେପମାନ ନେଉଛନ୍ତି ।କରୋନା ଦାଉରୁ ରକ୍ଷା ପାଇଁ 1 କୋଟି 51 ଲକ୍ଷ ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ପ୍ରଦାନ କରିଛି । ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ଟଙ୍କା ପ୍ରଦାନ କରାଯାଇଛି ।
ଏହାସହ ରାଜ୍ୟର ପ୍ରାୟ ୬୨ଟି ମନ୍ଦିର ୧.୬୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
ରାୟଗଡ଼ା ଜିଲ୍ଲା ମାଝିଗୌରୀ ମନ୍ଦିର, ସତ୍ୟବାଦୀ ଗୋପୀନାଥ ଦେବ୍ ମନ୍ଦିର ଓ ଘଟଗାଁ ତାରିଣୀ ମନ୍ଦିର ୨୦ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ।