କାଶତଣ୍ଡି ଫୁଲ ହସି ହସି କହୁଛି ଜଗତ ଜନନୀ ମା ଆସୁଛନ୍ତି । ଆଉ କିଛି ଦିନ ପରେ ଧରାପୃଷ୍ଠରେ ବିରାଯିବେ ମହିଷାମର୍ଦିନୀ ମା ଦୁର୍ଗା । ପୌରାଣିକ କଥା ଅନୁସାରେ ଅଧର୍ମ ଓ ଅତ୍ୟାଚାର କରୁଥିବା ରାକ୍ଷସ ମହିଷାସୁରର ବଦ୍ଧ କରି ମା ଦୁର୍ଗା ଅହିଂସାର ଜବାବ ଦେଇଥିଲେ । ତେଣୁ ପ୍ରତିବର୍ଷ ଆଶ୍ୱିନ ମାସରେ ତାଙ୍କର ପୂଜା କରାଯାଏ । ମାଙ୍କ ଆଗମନରେ ଝଲସିବ ଗାଁ ଠୁ ସହର ତେଣୁ ଏବେଠୁ ସମସ୍ତେ ପ୍ରସ୍ତୁତ ହୋଇଗଲେଣି । ଏହାରି ମଧ୍ୟରେ ସହରର ସବୁ ସ୍ଥାନରେ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବା ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପ୍ରତିବର୍ଷ ମାଙ୍କ ମୂର୍ତ୍ତି ସହ ନିଆରା ତୋରଣ ମଧ୍ୟ କରାଯାଉଛି । ତେବେ ରାଜଧାନୀର ପ୍ରାୟ ସବୁ ସ୍ଥାନରେ ପୂଜା ହେଉଥିଲା ବେଳେ ଏଥର ରାଜଧାନୀ ଉପକଣ୍ଠ ଇନ୍ଫୋସିଟି ଥାନା ପାଖାପାଖି ଗ୍ରାମାଞ୍ଚଳବାସୀ ପ୍ରଥମ ଥର ପାଇଁ ଏକ ବିଶାଳ ଦୁର୍ଗାପୂଜା ଦେଖିବାର ସୁଯୋଗ ପାଇବେ।
ଦାରୁଠେଙ୍ଗ,ପଥର ଗାଡ଼ିଆ, ଚନ୍ଦକା, ଅଳଶୁଆ ଆଦି ଗ୍ରାମାଞ୍ଚଳ ସହିତ ଚନ୍ଦକା ଶିଳ୍ପାଞ୍ଚଳ, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର ଓ ନୀଳାଦ୍ରିବିହାର ଆଦି ଅଞ୍ଚଳର ସହରବାସୀ ମଧ୍ୟ ନୂଆ କରି ହେଉଥିବା ଏହି ଦୁର୍ଗାପୂଜାର ମଜା ନେବେ। କଳିଙ୍ଗ ଦୁର୍ଗାପୂଜା ରାବଣ କମିଟି ପକ୍ଷରୁ ନୂଆ କରି ଅନୁଷ୍ଠିତ ହେଉଥିବା ଏହି ପୂଜା ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କାର ବଜେଟ୍ କରାଯାଇଛି। ସେଠାରେ ପ୍ରଥମ ଥର ପୂଜା କରାଯାଉଥିଲେ ମଧ୍ୟ ବଡ ଆଡମ୍ବରରେ ହେଉଛି ଯାହାକି ମହୀଶୂର ପ୍ରସାଦ ଢାଞ୍ଚାରେ ହେବ ପୂଜା ମଣ୍ଡପ । ମହୀଶୂର ପ୍ରାସାଦରେ ବିରାଜି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା । ଭକ୍ତଙ୍କ ମନକିଣିବ ଏହି ଆକର୍ଷଣୀୟ ତୋରଣ। ଖାଲି ସେତିକି ନୁହେଁ ଏହି ବିଶିଷ୍ଟ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାବଣପୋଡ଼ି ମଧ୍ୟ ଆୟୋଜନ କରାଯାଇଛି । ଜଗନ୍ନାଥ ମନ୍ଦିର ନିକଟରେ ମଣ୍ଡପ ନିର୍ମାଣ କାମ ଆରମ୍ଭ ହେବା ସହ ଝଲମଲ ଲାଇଟ୍ ଗେଟ୍ ନିର୍ମାଣ ଚାଲିଛି।
ପ୍ରଥମ ବର୍ଷ କମିଟି ପୂଜା ଆୟୋଜନ କରୁଥିଲେ ବି ରାଜଧାନୀର ଅନ୍ୟ ପୁରୁଣା ମଣ୍ଡପମାନଙ୍କଠାରୁ କୌଣସି ଗୁଣରେ ପଛେଇବାକୁ ଆୟୋଜକମାନେ ପ୍ରସ୍ତୁତ ନାହାନ୍ତି। ପୂଜା ବିଧିବିଧାନରୁ ଆରମ୍ଭ କରି ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଥିରେ ସେମାନେ ରାଜଧାନୀର ଅନ୍ୟ କମିଟିମାନଙ୍କ ସହ ପ୍ରତିଯୋଗିତାରେ ରହିବାକୁ ବେଶ୍ ଉତ୍ସାହର ସହ ଲାଗିପଡ଼ିଛନ୍ତି । ତେବେ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ବୁଡୁ ନଈ ପଠାରେ ମାଟି ଅନୁକୂଳ ପୂଜା କରାଯାଇଛି। ବାଜା, ବାଣ, ରୋଶଣୀ କରି କମିଟିର ସଭ୍ୟମାନେ ମାଟି ପୂଜା ସମାପନ ମଧ୍ୟ କରିଥିଲେ ।ଏହାରି ମଧ୍ୟରେ ଅକ୍ଟୋବର ୨୧ ତାରିଖରୁ ମଣ୍ଡପ ନିକଟ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହି ଉତ୍ସବରେ ଜଣାଶୁଣା କଣ୍ଠଶିଳ୍ପୀଙ୍କ ମାଧ୍ୟମରେ ଭଜନ ଓ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ବିଶେଷ କରି ମହିଳା ଶ୍ରଦ୍ଧାଳୁ ଯେଭଳି ବିନା ଅସୁବିଧାର ଦର୍ଶନ କରିବେ ତାକୁ ପ୍ରାଥମିକତା ଦିଆଯିବା ସହ ଭିନ୍ନକ୍ଷମ ମାନେ କିଭଳି ସୁରକ୍ଷିତ ସହ ଦର୍ଶନ କରିବେ ତାର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ପ୍ରଥମ ଥର ହେଉଥିବା ଏହି ପୂଜା ମଣ୍ଡପ ଦେଖିବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ଅଧିକ ପଢନ୍ତୁ :ଦୁର୍ଗା ପୂଜାରେ ନୂଆପଲ୍ଲୀକୁ ଉଠିଆସିବ ଗୁଜୁରାଟର ମଣିମହଲ