ପାରଳାଖେମୁଣ୍ଡି: ସ୍ବାଧୀନତା ପରବର୍ତ୍ତୀ ସମୟ ଠାରୁ ଏକ ବିଂଶ ଶତାବ୍ଦୀର ଶେଷ ଭାଗ ଯାଏଁ ଲୋକେ ଓଡିଆ ସଂସ୍କୃତି ଓ ପରମ୍ପରାକୁ ପାଳନ କରିଆସୁଥିଲେ। ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖିବାକୁ ମିଳୁଥିଲା। ହେଲେ ବର୍ତ୍ତମାନ ମୋବାଇଲ ଯୁଗରେ ଏଭଳି ପରମ୍ପରାରୁ ମୁହଁ ଫେରାଉଛନ୍ତି ଯୁବପିଢି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ଗହ୍ମାଡିଆଁ।
ଶ୍ରାବଣ ପୂର୍ଣ୍ଣିମା ଦିନ ଉଭଣୀ ହାତରୁ ରାକ୍ଷୀ ବାନ୍ଧି ସାରିବା ପରେ ଗାଁ ସାହିର ଯୁବକମାନେ ଗହ୍ମାଡିଆଁ ସ୍ଥଳକୁ ଉତ୍ସାହର ସହ ଯାଇ ଭାଗ ନେଉଥିଲେ। କିନ୍ତୁ ଆଧୁନିକତାର ଛାପରେ ଗହ୍ମାଡିଆଁ ଲୋପ ପାଇଯାଇଥିବା ବେଳେ ଆଜି ମଧ୍ୟ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର କେତେକ ସ୍ଥାନରେ ପାଳନ ହେଉଛି ଗହ୍ମାଡିଆଁ। ସ୍କୁଲସ୍ତରରୁ ପିଲାଙ୍କୁ ପରମ୍ପରା ସଂପର୍କରେ ସଚେତନ କରିବା ପାଇଁ କତେକ ସ୍କୁଲରେ ମଧ୍ୟ ଗହ୍ମାଡିଆଁ ଆୟୋଜନ କରାଯାଉଛି।
ଗଜପତି ଜିଲ୍ଲାର କିଛି ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ଶ୍ରାବଣ ପୂର୍ଣ୍ଣିମା ଦିନ ପାଳିତ ହେଉଥିବା ବିଶେଷ କରି ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାରେ ବ୍ୟାପକ ଭାବେ ପାଳିତ ହେଉଥିଲା। ସେହି ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ କୌଣସି ମାଧ୍ୟମ ନଥିଲା। ତେଣୁ ଲୋକେ ଏହି ପରମ୍ପରାକୁ ପାଳନ କରି ନିଜର ମନୋରଞ୍ଜନ କରୁଥିଲେ। ଏଥିପାଇଁ ପ୍ରାୟ ୧୫ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହେଉଥିଲା। ପଥର ଏବଂ ମାଟିରେ ଗହ୍ମା ନିର୍ମାଣ କରି ଏହା ସମ୍ମୁଖରେ ପ୍ରାୟ ୩୦-୩୫ ଫୁଟ ଉଚ୍ଚତାରେ କିଛି ଫଳ ବନ୍ଧା ଯାଉଥିଲା। ଏହି ଗହ୍ମାରୁ ଡେଇଁ ଯିଏ ସେହି ଫଳକୁ ଛୁଇଁବ ସେମାନଙ୍କୁ ପୁରସ୍କାର ମିଳୁଥିଲା। ଏପରିକି ଗୋଟିଏ ଗୋଟିଏ ସ୍ଥାନରେ ୨-୩ ଦିନ ଯାଏଁ ଏହା ଜାରି ରହୁଥିଲା। ହେଲେ ଗତ ୮ରୁ୧୦ବର୍ଷ ହେଲା କାଁ ଭାଁ କେଉଁଠି କେମିତି ପାଳନ କରାଯାଉଛି। ମୌଜ ମଜିଲିସରେ ସମୟକାଟୁଥିବା ପିଲା ବର୍ତ୍ତମାନ ଶାରିରୀକ କଷ୍ଟ କରିବାକୁ ପଡୁଥିବା ଏହି ଖେଳ ପ୍ରତି ଆଉ କାହାର ଆଗ୍ରହ ପ୍ରକାଶ ପାଉନଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ଆଧୁିନିକତାର ଚାକଚକ୍ୟ ରେ ଅନେକ ସଂସ୍କୃତି ଓ ପରମ୍ପରା ବର୍ତ୍ତମାନ ଲୁପ୍ତ ପାଇଯାଉଥିବା ବେଳେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରାଯାଉଛି। ଏହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।