ଖବର ଓଡିଶା : 07/03/2023
ଆଜି ପବିତ୍ର ଦୋଳପୂର୍ଣ୍ଣିମା । ଦୋଳବେଦୀରେ ଫଗୁ ଖେଳିବେ ଦୋଳଗୋବିନ୍ଦ । ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କ ସହ ଫଗୁ ଖେଳିବେ। ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପ୍ରକମ୍ପିତ ହେବ ପରିବେଶ। ଆଜି ଭକ୍ତ ଓ ଭଗବାନ ଏକାକାର ହୋଇ ହୋଲି ଖେଳିବେ। ସେଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ସକାଳ ୯ଟା ଭିତରେ ଶ୍ରୀଜିଉଙ୍କ ସୁନାବେଶ ବା ରାଜାଧିରାଜ ବେଶ ଶେଷ ହେବ । ଏହା ପରେ ଭକ୍ତମାନେ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରିପାରିବେ । ରାତି ୧୦ଟା ୩୫ରେ ସୁନାବେଶ ଓଲାଗି ହେବ । ସକାଳ ଧୂପ ସରିବା ପରେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୁଦେବୀଙ୍କ ସହ ଦୋଳବେଦୀକୁ ବିଜେ କରିଥାନ୍ତି । ମହାପ୍ରଭୁଙ୍କୁ ନୂଆ ଲୁଗା ପରିଧାନ କରାଯିବା ସହ ବେଶ କରାଯିବ । ପରେ ଅନ୍ୟାନ୍ୟ ନୀତି ବଢ଼ି ଦୋଳବେଦୀକୁ ମହାପ୍ରଭୁ ବିଜେ କରିବେ । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୁଦେବୀ, ଶ୍ରୀଦେବୀ ମଣି ବିମାନରେ ବିଜେ କରି ଦୋଳ ବେଦୀକୁ ଯିବେ । ସେଠାରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବା ସହ ଭକ୍ତଙ୍କ ସହ ମହାପ୍ରଭୁ ଅବିର ଖେଳିବେ । ପାଲିଙ୍କିରେ ଝୁଲିଝୁଲି ୨୧ ଘେରା କରିକ୍ରମା କରି ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି ମହାପ୍ରଭୁ ଦୋଳଗୋବିନ୍ଦ । ସେପଟେ ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଆଜି ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳ ଗୋବିନ୍ଦ। ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ। ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ। ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହ ଉଦ୍ଦୀପନାରେ ଝୁମି ଉଠେ । ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିରରେ କିମ୍ବା ଶ୍ରୀଜଗନ୍ନାଥ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଦୋଳା ବା ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଏ ଏବଂ ଦୁଆର ଦୁଆର ବୁଲି ଭୋଗ ଖାଆନ୍ତି ଠାକୁରେ ।