ଭାରତର ରାଜଧାନୀ ଦିଲ୍ଲୀରେ ତିଆରି ହେବ ବିଶ୍ଵର ସବୁଠୁ ବଡ ମ୍ୟୁଜିୟମ । ଏହି ମ୍ୟୁଜିୟମର ନାଁ ରହିବ "ୟୁଗେ ୟୁଗିନ ଭାରତ" । ଦିଲ୍ଲୀର ପ୍ରଗତି ମୈଦାନ ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଘୋଷଣା କରିଛନ୍ତି । ଏହି ମ୍ୟୁଜିୟମରେ ଭାରତର ୫ ହଜାର ବର୍ଷ ତଳର ଇତିହାସ ସ୍ଥାପିତ କରାଯିବ । ଭାରତରେ ଏପରି ଅନେକ ମ୍ୟୁଜିୟମ ରହିଛି, ଯେଉଁଠି ଭାରତର ଅନେକ ଇତିହାସକୁ ସଂଗୃହିତ କରାଯାଇପାରିନାହିଁ । ମାତ୍ର ଏହି ମ୍ୟୁଜିୟମରେ ଭାରତର ସଂସ୍କୃତି, ଇତିହାସ, ପରମ୍ପରା ସବୁକିଛି ସ୍ଥାପିତ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି,"ଥିଙ୍ଗ ବିଗ, ଡ୍ରିମ ବିଗ, ଆକ୍ଟ ବିଗ.." ଅର୍ଥାତ କିଛି ବଡ କରିବା ପାଇଁ ଉଚ୍ଚ ଆଶା କରିବାକୁ ପଡିବ, ଉଚ୍ଚ ସ୍ୱପ୍ନ ଦେଖିବାକୁ ପଡିବ ଏବଂ ଉଚ୍ଚସ୍ତରୀୟ କାର୍ଯ୍ୟ କରିବାକୁ ପଡିବ ।
ଏହି 'ୟୁଗେ ୟୁଗିନ ଭାରତ' ହେଉଛି ଏକ ସଂସ୍କୃତ ଶବ୍ଦ। ଯାହାର ଅର୍ଥ ହେଉଛି 'ଅନନ୍ତ ଭାରତ'। ଭାରତର ପ୍ରତ୍ୟେକ କୋଣ ଅନୁକୋଣର ଇତିହାସକୁ ଏହି ମ୍ୟୁଜିୟମରେ ସାଇତି ରଖାଯିବ । ଏହି ମ୍ୟୁଜିୟମରେ ୯୫୦ଟି ରୁମ ରହିବ । ଯେଉଁଥିରେ ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର ଆଦି ରହିବ।ପ୍ରାଚୀନ ଭାରତର ଇତିହାସ, ପୁରୁଣା ବିଶ୍ଵବିଦ୍ୟାଳୟ, ବିଭିନ୍ନ ରାଜବଂଶ ଯେମିତିକି ଚୋଳ, ଗୁପ୍ତ, ପଲ୍ଲଭ ଆଦି ରାଜବଂଶର ଇତିହାସ ଏହି ମ୍ୟୁଜିୟମରେ ସ୍ଥାପିତ କରାଯିବ । ଏଥିସହ ଲୋପ ପାଇଯାଇଥିବା ପଶୁପକ୍ଷୀ, ପୁରାତନ ଦର୍ଶନୀୟ ସ୍ଥାନ, ପୁରାତନ ମନ୍ଦିରର ଇତିହାସ ଏଠାରେ ସ୍ଥାପିତ କରାଯିବ । ବ୍ରିଟିଶ ଶାସନ କାଳରେ ସେମାନଙ୍କ ବିରୋଦ୍ଧରେ ଲଢିଥିବା ବିଭିନ୍ନ ଜନଜାତିଙ୍କ ସମ୍ପର୍କରେ ଅନେକ ତଥ୍ୟ ଏହି ମ୍ୟୁଜିୟମରେ ରଖାଯିବ ଏବଂ ଭାରତକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ଆଗକୁ ନେବାରେ ହାତଥିବା କିଛି ମହାନ ବ୍ୟକ୍ତିଙ୍କ ଉପରେ ତଥ୍ୟ ମଧ୍ୟ ଏଠାରେ ଉଲ୍ଲେଖ ରହିବ । ବର୍ତ୍ତମାନ ବିଶ୍ବର ସବୁଠୁ ବଡ ମ୍ୟୁଜିୟମ ଫ୍ରାନ୍ସରେ ରହିଛି।