ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଲିଷ୍ଟରେ ଅଛନ୍ତି ୪ ଓଡ଼ିଆ କଳାକାର। କଲା ହେଉଛି ଏକ ସ୍ୱତନ୍ତ୍ର ପ୍ରତିଭା । ସମସ୍ତଙ୍କ ପାଇଁ ଏଭଳି ପ୍ରତିଭା ପ୍ରଦର୍ଶନ କରିବାଲାଗି ସୁଯୋଗ ଆସିନଥାଏ । ନୃତ୍ୟ,ଗୀତ ,ସଙ୍ଗୀତ,ବାଦ୍ୟ,ଚିତ୍ରକଳା,ଅଭିନୟ ଏ ସମସ୍ତ ପ୍ରତିଭା ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ମଧ୍ୟରେ ଲୁଚିରହିଥାଏ । ଏହି ପ୍ରତିଭାକୁ ନେଇ ଯିଏ ପ୍ରଚେଷ୍ଟାର ସହ ଆଗକୁ ବଢିଚାଲିଥାଏ ସେ ହିଁ ସଫଳତାର ଶୀର୍ଷରେ ପହଞ୍ଚିପାରେ । ଏହିଭଳି ସଫଳତା ମିଳିଛି ଓଡ଼ିଶାର ୪ କଳାକାରଙ୍କୁ । ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଅବସରରେ ‘ସଙ୍ଗୀତ ନାଟକ ଅକାଦେମୀ’ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଭାରତର ୮୪ଜଣ କଳାକାରଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ କଳାକାର ଥିବା କଥା ‘ସଙ୍ଗୀତ ନାଟକ ଅକାଦେମୀ’ର ପ୍ରେସ୍ ରିଲିଜ୍ରୁ ଜଣାପଡ଼ିଛି।
ସଙ୍ଗୀତ ନାଟକ ଏକାଡେମୀର ଏହି କାର୍ଯ୍ୟକ୍ରମରେ ‘ଛଉନୃତ୍ୟ’ ପାଇଁ ସିଦ୍ଧେଶ୍ୱର ଦାସ, ‘ଥିଏଟର୍’ରେ ସାମଗ୍ରିକ ଅବଦାନ ପାଇଁ ଅନନ୍ତ ମହାପାତ୍ର, ଲୋକସଙ୍ଗୀତ ବ୍ରହ୍ମବୀଣା ପାଇଁ ଆନନ୍ଦ ବାଗ ଓ ଓଡ଼ିଶୀ ନୃତ୍ୟ (ଗୋଟିପୁଅ) ପାଇଁ ଗୋବିନ୍ଦ ଚନ୍ଦ୍ର ପାଲ୍ ପୁରସ୍କୃତ ହେବେ । ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବା ସହ ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ମଧ୍ୟ ପ୍ରଦାନ କରାଯିବ।ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରୀ ତଥା ସାଂସ୍କୃତିକ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍ ଏବଂ ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖିଙ୍କ ଉପସ୍ଥିତିରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସେପ୍ଟେମ୍ବର ୧୬ ତାରିଖ ଦିନ ନୂଆଦିଲ୍ଲୀର ‘ବିଜ୍ଞାନ ଭବନ’ରେ ହେବାକୁ ଥିବା ଏହି ଉତ୍ସବରେ ଭାରତର କଳାକାରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ଏଥିସହ ଜୀବନବ୍ୟାପୀ ‘ପର୍ଫର୍ମିଙ୍ଗ୍ ଆର୍ଟ’ ପ୍ରଦର୍ଶନ କରି ଏ ପର୍ଯ୍ୟନ୍ତ କୌଣସି ଜାତୀୟ ସମ୍ମାନ ପାଇ ନ ଥିବା ୭୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ କଳାକାରମାନଙ୍କୁ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଅବସରରେ ଏହି ବିଶେଷ ପୁରସ୍କାର ପ୍ରଦାନ କରାଯିବ।
ଅଧିକ ପଢନ୍ତୁ;ଆଜିଠାରୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା : ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ଏହି ଝୁଲଣଯାତ୍ରା