ଆଦିବାସୀ ଗାଁରେ ଉତ୍କଟ ଜଳକଷ୍ଟ
Khabar Odisha:Water-scarcity-in-Traibal-area
କେନ୍ଦୁଝର, ମେ ୧୩(ଖବର ଓଡ଼ିଶା): ତାତି ବଢିବା ସହ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଜଳକଷ୍ଟ ଉତ୍କଟ ହେବାରେ  ଲାଗିଛି । ସୁନପେଣ୍ଠ ପଂଚାୟତ ବାଇଗଣଝରନ୍ ଜୁଆଙ୍ଗ ସାହିରେ ଲୋକେ ନାଳରେ ଗାତ ଖୋଳି ପ୍ରଦୂଷିତ ମଇଳା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।

ଏହି ଗାଁରେ ରହନ୍ତି ୪୦ ପରିବାର । ଗୋଟିଏ ନଳକୂପ ଥିବାରୁ ଓ ସେଥିରୁ ସୂତାଖିଅ ପରି ପାଣି ଆସୁଥିବାରୁ ତାହା ସମସ୍ତଙ୍କର ଜଳ ଆବଶ୍ୟକତା ତୁଲାଇ ପାରେ ନି ବୋଲି କହନ୍ତି ଗାଁର ଜଣେ ବାସିନ୍ଦା । ପୁଣି ତାର ପାଣିର ରଙ୍ଗ ନାଲିଆ । ଏଥିରେ ବାସନ ମଧ୍ୟ ଧୁଆ ଯାଇ ପାରିବ ନାହିଁ । ଗାଧୋଇବା ଓ ପିଇବା ତ ଦୂର କଥା । ଏଭଳି ସ୍ଥିତିରେ ଗାତ ଖୋଳି ପାଣି ପିଇବା ବ୍ୟତୀତ ଆମ ପାଖରେ ଆଉ କିଛି ପନ୍ଥାନାହିଁ ବୋଲି କହନ୍ତି ଗାଁର ଆଉ ଜଣେ ବାସିନ୍ଦା ଗଣେଶ ।
 
ଜୁଆଙ୍ଗ ଏକ ବିପଦ ସଙ୍କୁଳ ପ୍ରାଚୀନ ଜନଜାତି । ଏହି ଜନଜାତିଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଗାଁର ଚିତ୍ର ଭିନ୍ନ । ମୌଳିକ ଆବଶ୍ୟକତା ପୂରଣ ପାଇଁ ଭିତିଭୂମି ସୃଷ୍ଟି ଦିଗରେ ପ୍ରଶାସନ ସାମାନ୍ୟ ଉଦ୍ୟମ ବି କରିନାହିଁ ।
 
ଆମ ଜୀବନ ସର୍ବଦା ଅନ୍ଧାର । ଗାଁରେ ବିଜୁଳି ଆଲୁଅ ପହଂଚିନି ଓ ପାଣି ସବୁବେଳେ ସମସ୍ୟା ହୋଇ ରହିଛି । ସକାଳ ଓ ସଞ୍ଜରେ ଆମ ମା ଓ ଭଉଣୀମାନଙ୍କୁ ଗରା ମାଠିଆ ନେଇ ଗାଁ ଠାରୁ ଦୂର ନାଳକୁ ଯିବାକୁ ପଡ଼ୁଛି ବୋଲି ହରିଚନ୍ଦନପୁର ବ୍ଲକର ୧ କିମି ଦୂରରେ ଥିବା ଆଉ ଏକ ଆଦିବାସୀ ଗାଁ ରଘୁନାଥପୁରର ଜଣେ ବାସିନ୍ଦା ସରୋଜ ନାୟକ କହନ୍ତି । ଏହି ଗାଁରେ  ବିଜୁଳି ଓ ପାଣି ଦୂର ସ୍ୱପ୍ନ ହୋଇରହିଛି ।
  • Tags:

Subscribe

National International State Sports Entertainment