୧୪୪ ଧାରା ଭାଙ୍ଗି ରାଜଧାନୀରେ ପଶିଲେ ଚାଷୀ, ନେତା ଓ ଚାଷୀ ଗିରଫ, ଗଠନ ହେଲା ମନ୍ତ୍ରୀ ସ୍ତରୀୟ କମିଟି
Khabar Odisha:farmer-break-144-at-tamando
ଭୁବନେଶ୍ୱର, ନଭେମ୍ବର ୫(ଖବର ଓଡ଼ିଶା):

ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ହେଉ ଅବା ଆନ୍ଦୋଳନକୁ ରୋକିବାକୁ ହୀନ ପ୍ରୟାସ ସବୁକିଛି ବ୍ୟର୍ଥ ହୋଇଛି । ପ୍ରତିଶ୍ରୁତି ଓ କଟକଣାକୁ ଖାତିର ନ କରି ବିଭିନ୍ନ ପ୍ରାନ୍ତରୁ ରାଜଧାନୀ ଅଭିମୁଖେ ମାଡ଼ି ଚାଲିଛନ୍ତି ହଜାର ହଜାର ଚାଷୀ । ଯାହାକୁ ଅଟକାଇବାରେ ବିଫଳ ହୋଇଛି ପୋଲିସ ପ୍ରଶାସନ । ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ଭୁବନେଶ୍ୱରରେ ଗର୍ଜିବେ ଚାଷୀ । ଚାଷୀଙ୍କ ସ୍ୱରକୁ ଦବାଇବାକୁ ଜାରି କରାଯାଇଥିବା ୧୪୪ ଧାରାକୁ ଭାଙ୍ଗି ଚାଷୀମାନେ ଭୁବନେଶ୍ୱର ଭିତରକୁ ପ୍ରବେଶ କରିଛନ୍ତି । ଅନ୍ୟପକ୍ଷରେ ଚାଷୀଙ୍କୁ ସାନ୍ତ୍ୱନା ଦେବାକୁ ସରକାର ତରବରିଆଭାବେ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । 

ନିଜର ନାର୍ଯ୍ୟ ଦାବି ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌କୁ ନେଇ ରାଜ୍ୟଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ଗୁହାରୀ କରିଛନ୍ତି । କିନ୍ତୁ କିଛି ବି ସୁଫଳ ମିଳି ନ ଥିଲା । ଶେଷରେ ରାଜଧାନୀକୁ ଆସି ଚାଷୀମାନେ ନିଜର ଦାବିକୁ ସରକାରଙ୍କ ନିକଟରେ ପହଁଚାଇବାକୁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ସଫଳ ହେବାକୁ ଯାଉଛି । ଦୀର୍ଘ ୭ ଦିନ ହେଲା ଆରମ୍ଭ ହୋଇଥିବା ପଦଯାତ୍ରା ଭୁବନେଶ୍ୱରରେ ପହଁଚିଛି । ଚାଷୀଙ୍କୁ ଅଟକାଇବାକୁ ତମାଣ୍ଡୋ ଜାତୀୟ ରାଜପଥ ଉପରେ ଜାରି କରାଯାଇଥିବା ୧୪୪ ଧାରାକୁ ଭାଙ୍ଗିଛି ଚଷା ଭାଇ । ହଜାର ହଜାର ସଂଖ୍ୟାରେ ଚାଷୀ ଭୁବନେଶ୍ୱର ଭିତରକୁ ଧସେଇ ପଶିଛନ୍ତି । ଏଥର ଦାବି ପୂରଣ ହେଲେ ଘରକୁ ଫେରିବେ ବୋଲି ଦୃଢ଼ କଣ୍ଠରେ କହିଛନ୍ତି । ତେବେ ପୋଲିସ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଖଣ୍ଡଗିରି ନିକଟରେ ଚାଷୀଙ୍କୁ ଗିରଫ କରିଛି । କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ମଧ୍ୟ ଉଠାଇ ନିଆଯାଇଛି । ଚାଷୀ ଓ ପୋଲିସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ଚାଷୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରି ନାହିଁ । 

ସେପଟେ ହଂସପାଳ ନିକଟରେ ମଧ୍ୟ ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବ ଉଦ୍ୟମ ଜାରି ରଖିଛି । କିନ୍ତୁ ସଫଳ ହୋଇପାରି ନାହିଁ । ତେବେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ତମାଣ୍ଡୋ ନିକଟରେ ଶହ ଶହ ଗାଡ଼ି ଅଟକି ରହିଛି । ରାସ୍ତା ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି । ସେହିପରି ହଂସପାଳ ନିକଟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । 

ଅନ୍ୟପକ୍ଷରେ ଚାଷୀଙ୍କୁ ଶାନ୍ତ କରିବାକୁ ରାଜ୍ୟ ସରକାର ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସମବାୟ ଓ କୃଷି ମନ୍ତ୍ରୀ ରହିଛନ୍ତି । କମିଟିର ବୈଠକରେ ଚାଷୀଙ୍କ ଟର୍ମ ଅଫ୍‌ ରେଫରେନ୍ସ ନେଇ ଆଲୋଚନା କରାଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଅର୍ଥମନ୍ତ୍ରୀ ସଫେଇ ଦେଇଛନ୍ତି ଯେ ଚାଷୀଙ୍କ ଅନୁକୂଳ ନେଇ ରାଜ୍ୟ ସରକାର ଅନେକ ନିଷ୍ପତ୍ତି ନେଇଛନ୍ତି । କୃଷି ବଜେଟ୍‌ ହୋଇଛି ଓ କୃଷି କ୍ୟାବିନେଟ୍‌ ମଧ୍ୟ ଗଠନ କରାଯାଇଛି ବୋଲି କହିଛନ୍ତି । ସେହିପରି କେନ୍ଦ୍ରକୁ ଦୋଷ ଠେଲି କହିଛନ୍ତି କେନ୍ଦ୍ର ସରକାରଙ୍କ ନିକଟରେ ଧାନର ଏମ୍‌ଏସ୍‌ପି ବୃଦ୍ଧି ପାଇଁ ଦାବି କରାଯାଇଛି । 

Subscribe

National International State Sports Entertainment