ପ୍ରଶ୍ନ ପତ୍ର ଲିକ୍ ପରେ ଓଟିଇଟି ପରୀକ୍ଷା ବାତିଲ
Khabar Odisha:education-odisha-otet-exam-canceled
କଟକ, ଜାନୁଆରୀ ୧୬(ଖବର ଓଡ଼ିଶା):

ପ୍ରଶ୍ନପତ୍ର ଲିକ୍‌ ହେବା ପରେ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ୍‌ (ଓଟିଇଟି) ପରୀକ୍ଷା ବାତିଲ କରାଯାଇଛି । ଦୁଇଟି ସିଟିଂରେ ହେଉଥିବା ପରୀକ୍ଷାକୁ ବାତିଲ କରାଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ଜାହାନାରା ବେଗମ୍‌ । ମାଟ୍ରିକ୍‌ ପରୀକ୍ଷା ପରେ ଓଟିଇଟି ପରୀକ୍ଷା କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି । 

ଆଜି ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରଥମ ସିଟିଂ ପରୀକ୍ଷା ଚାଲିଥିବାବେଳେ ପ୍ରଶ୍ନ ପତ୍ର ଲିକ୍‌ ହୋଇଥିବା ଖବର ପ୍ରସାରଣ ହୋଇଥିଲା । ସୋସିଆଲ ମିଡିଆରେ ପ୍ରଶ୍ନ ପତ୍ର ଭାଇରାଲ ହୋଇଥିଲା । କନ୍ଧମାଳ ଓ ଭଦ୍ରକରୁ ଏଭଳି ଅଭିଯୋଗ ଆସିବା ପରେ ବୋର୍ଡ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଭାଇରାଲ ହୋଇଥିବା ପ୍ରଥମ ପେପର୍‌ ସେଟ୍‌-ବି ସହିତ ପ୍ରଶ୍ନ ମିଳା ଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ପ୍ରଥମ ପେପର୍‌ ଲିକ୍‌ ହୋଇଥିବାରୁ ଦ୍ୱିତୀୟ ସିଟିଙ୍ଗ୍‌ ପରୀକ୍ଷାକୁ ବାତିଲ କରାଯାଇଛି । ତେବେ ଦ୍ୱିତୀୟ ପେପର୍‌ ପ୍ରଶ୍ନ ପତ୍ର ପ୍ୟାକେଟ୍‌ ନ ଖୋଲି ବୋର୍ଡକୁ ଫେରାଇ ଦେବାକୁ ଅଧ୍ୟକ୍ଷା ପରୀକ୍ଷା ପରିଚାଳକ ମାନଙ୍କୁ କହିଛନ୍ତି । 

ବାତିଲ ହୋଇଥିବା ପରୀକ୍ଷା କେବେ ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ମାଟ୍ରିକ୍‌ ପରୀକ୍ଷା ପରେ ଏ ବିଷୟରେ ବିଚାର କରାଯିବ ବୋଲି ଜାହାନାରା ବେଗମ୍‌ ସୂଚନା ଦେଇଛନ୍ତି । ଏଭଳି ଏକ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଶ୍ଚିନ୍ତାର ଘଟଣା ବୋଲି ସେ କହିଛନ୍ତି । 

ଆଜି ଦୁଇଟି ପେପର୍‌ରେ ୧ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଥିଲେ । ରାଜ୍ୟରେ ୨୫୦ଟି ସେଣ୍ଟର୍‌ ରହିଥିଲା । ପରୀକ୍ଷା ବାତିଲ ହେବା ପରେ ଛାତ୍ରଛାତ୍ରୀମାନେ ନିରାଶ ହୋଇଛନ୍ତି । ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି । 

Subscribe

National International State Sports Entertainment