ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ପାଇଁ କୋଶ୍ଚିନ୍ ବ୍ୟାଙ୍କ୍ । ଏଣିକି ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତିରେ ବଳ ଯୋଗାଇବ କୋଶ୍ଚିନ୍ ବ୍ୟାଙ୍କ୍ । ପ୍ରଥମ ଥର ପାଇଁ ଚଳିତ ବର୍ଷ ପରୀକ୍ଷାର୍ଥୀଙ୍କୁ କୋଶ୍ଚିନ୍ ବ୍ୟାଙ୍କ୍ ଯୋଗାଇବ ସିଏଚ୍ଏସ୍ଇ । ଏହାଦ୍ୱାରା ଛାତ୍ରଛାତ୍ରୀ ଭଲ ଭାବେ ପରୀକ୍ଷା ପ୍ରସ୍ତୁତି କରିପାରିବେ ଓ ପରୀକ୍ଷା ଫଳ ବି ଭଲ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଶା କରାଯାଉଛି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍ CHSEODISHA.NIC.INରେ କୋଶ୍ଚିନ୍ ବ୍ୟାଙ୍କ ଉପଲବ୍ଧ ଅଛି । ଏହି ଆଧାରରେ ପରୀକ୍ଷାର୍ଥୀ ଯେପରି ପରୀକ୍ଷା ପ୍ରସ୍ତୁତି କରିବେ ସେନେଇ ସଚେତନ କରାଇବାକୁ ସବୁ କଲେଜର ଅଧ୍ୟକ୍ଷଙ୍କୁ ପରିଷଦ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି । ଏବେ କେବଳ ବିଜ୍ଞାନ ବିଭାଗର ଫିଜିକ୍ସ, କେମିଷ୍ଟ୍ରି, ମାଥମେଟିକ୍ସ ଓ ବାୟୋଲୋଜି ବିଷୟର କୋଶ୍ଚିନ୍ ବ୍ୟାଙ୍କ ଉପଲବ୍ଧ ଅଛି । ଖୁବ୍ଶୀଘ୍ର କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ମଧ୍ୟ କୋଶ୍ଚିନ୍ ବ୍ୟାଙ୍କ୍ ୱେବ୍ସାଇଟରେ ଅପଲୋଡ୍ କରାଯିବ ବୋଲି ପରିଷଦ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି । ଆସନ୍ତା ବର୍ଷ ଫେବୃଆରୀରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ୫ ମାସ ପୂର୍ବରୁ ସିଏଚ୍ଏସ୍ଇ ଘୋଷଣା କରି ପିଲାଙ୍କ ମନରୁ ଭୟ ଦୂର କରିଛି। ଆଉ ଏବେ କୋଶ୍ଚିନ୍ ବ୍ୟାଙ୍କ୍ ବ୍ୟବସ୍ଥା ପିଲାଙ୍କୁ ଅଧିକ ଉତ୍ସାହିତ କରିଛି ।
ଅନ୍ୟପଟେ , ଉପାନ୍ତ ଅଂଚଳ ତଥା ଇଣ୍ଟରନେଟ୍ ସୁବିଧା ନଥିବା ଅଞ୍ଚଳର ପରୀକ୍ଷାର୍ଥୀ କିପରି ଏହାକୁ ୱେବସାଇଟ୍ରୁ ପାଇବେ ସେନେଇ ଏବେଠୁ ଆଶଙ୍କା କରାଯାଇଛି । ସେହିପରି କଳା ଓ ବାଣିଜ୍ୟ ବିଭାଗର କୋଶ୍ଚିନ୍ ବ୍ୟାଙ୍କ୍ କେତେ ଶୀଘ୍ର ମିଳିବ ତାକୁ ନେଇ ବି ଛାତ୍ରଛାତ୍ରୀ ଆଶଙ୍କା ଭିତରେ ରହିଛନ୍ତି । ପାସ୍ ହାର ବଢାଇବା ସହ ପିଲାଙ୍କୁ ପରୀକ୍ଷା ପାଇଁ ଶତ ପ୍ରତିଶତ ପ୍ରସ୍ତୁତ କରିବାକୁ ସିଏଚ୍ଏସ୍ଇ ଏଭଳି ସଂସ୍କାରମୂଳକ ପଦକ୍ଷେପ ନେଇଛି । ତେବେ ଦେଖିବାକୁ ବାକି ରହିଲା ପରୀକ୍ଷାର୍ଥୀ ମାନେ ଏହାଦ୍ୱାରା କେତେ ଉପକୃତ ହେଉଛନ୍ତି ।
ଅଧିକ ପଢନ୍ତୁ :- ୧୪ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ