ଆଜି ହେଉଛି ଡିସେମ୍ବର ମାସର ପଚିଶି ତାରିଖ। ଯାହାକୁ ସାରା ବିଶ୍ୱରେ ବଡ଼ଦିନ ଭାବରେ ପାଳନ କରାଯାଏ । ଖ୍ରୀଷ୍ଟ ଧର୍ମରେ ଏହି ଦିନକୁ ସବୁଠାରୁ ପବିତ୍ର ମନେ କରାଯାଇଥାଏ । ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ୨୪ ତାରିଖ ମଧ୍ୟରାତ୍ରୀରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜ୍ଜାଯାଇଛି। ସାରା ବିଶ୍ୱ ଆଜି ଉତ୍ସବମୁଖର ହୋଇଉଠିଛି । ମେରି କ୍ରିସ୍ମାସ୍ କହି ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ୍ ଜାକଜକମରେ ପାଳନ କରାଯାଉଥିଲାବେଳେ ଆଜିକାଲି ପ୍ରାୟତଃ ସବୁସ୍ଥାନରେ ଏହି ଦିବସ ପାଳନ କରାଯାଉଛି।
ଆଜିକୁ ଅନେକ ବର୍ଷ ପୂର୍ବେ ଈଶ୍ବର ସନ୍ତାନ ଯୀଶୁଖ୍ରୀଷ୍ଟ ଏଇ ଦିନରେ ଜନ୍ମ ଗ୍ରହଣ କରିଥିଲେ ଜେରୁଜେଲମର ଏକ ଗାଆଁ ବେଥେଲହାମର ଏକ ଅଶ୍ୱଶାଳାରେ ମା’ ମେରି ଏବଂ ବାପା ଯୋଶେଫଙ୍କ କୋଳରେ । ସେ ସାରା ଜଗତରୁ ଦୁଃଖ ହରଣ କରି ସୁଖ ଦେବା ପାଇଁ ନିଜ ଜୀବକୁ ଉତ୍ସର୍ଗ କରିଥିଲେ। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ତାଙ୍କୁ ଈଶ୍ବରଙ୍କ ପୁତ୍ର ବା ଈଶ୍ବରଙ୍କ ଦୂତ ଭାବରେ ମାନୁଥିଲେ ।
ସାଧାରଣ ମଣିଷକୁ ସୁଖ ଟିକିଏ ଦେବା ଲାଗି ପ୍ରୟାସ କରି ସେ ସମୟର ସାମାଜିକ ଅବସ୍ଥା ଅନୁସାରେ ତାଙ୍କୁ ସମାଜରେ ଅନେକ କଷ୍ଟ ଭୋଗିବାକୁ ପଡିଥିଲା । ସମାଜର କଠୋରପନ୍ଥୀମାନେ ତାଙ୍କୁ କଷ୍ଟଦାୟକ ମୃତ୍ୟୁଦଣ୍ଡ ଦେବା ପରେ ବହୁତ ବିଳମ୍ବରେ ଲୋକେ ତାଙ୍କର ମହତ୍ତ୍ଵ ବୁଝିଲେ। ସେଥିପାଇଁ ତାଙ୍କ ମୃତ୍ୟୁର ଅନେକ ଦିନ ପରେ ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚ୍ ତାଙ୍କର ଜନ୍ମ ଦିନକୁ ଆନନ୍ଦର ଦିନ “ଖ୍ରୀଷ୍ଟ ମାସ୍ ଡେ” ବା “ ବଡ଼ଦିନ” ଭାବରେ ପାଳନ କରିବାକୁ ସ୍ଥିର କରିଥିଲା ।
ଖ୍ରୀଷ୍ଟମାସ ଶବ୍ଦ କ୍ରାଇଷ୍ଟେସ୍ ମାଇସ୍ରୁ ଶଦ୍ଦରୁ ଉତ୍ପନ୍ନ । ଖ୍ରୀଷ୍ଟମାସ ତଥା ବଡ ଦିନରେ ଇଶ୍ୱରଙ୍କ ପୁତ୍ର ଯୀଶୁଙ୍କ ଜନ୍ମ ଖୁସିରେ ଏହି ଦିନକୁ ପୁରା ଆନନ୍ଦର ସହିତ ପାଳନ କରାଯାଏ । ଏହି ଦିନକୁ ବିଶ୍ୱ ସାରା ଏକ ଛୁଟି ଦିନ ଭାବରେ ପାଳନ କରାଯାଏ । ଡିସେମ୍ୱର ୨୫ ତାରିଖରେ ହିଁ ଯୀଶୁଙ୍କ ଜନ୍ମ ଦିନ ବୋଲି କୌଣସି ପ୍ରକୃତ ପ୍ରମାଣ ନାହିଁ । ହେଲେ ଏହି ପର୍ବକୁ ଶତାବ୍ଦୀ ଶତାବ୍ଦୀ ଧରି ସାରା ବିଶ୍ୱରେ ପାଳନ କରାଯାଉଛି ।