ଭୁବନେଶ୍ୱର: ଆସୁଛି ଆଗକୁ ନୂଆବର୍ଷ। ଏଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଲକ୍ଷ୍ୟ କରି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଆଜିଠାରୁ ଆସନ୍ତା ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ। ଆଜି ବଡ ଦିନ ଥିବାରୁ ଭକ୍ତଙ୍କ ସମାଗମ ମନ୍ଦିରରେ ଲାଗିରହିଛି। ବର୍ଷ ଶେଷ ତଥା ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଓ ସମୁଦ୍ରର କୁଳର ମନୋରମ ମଜା ଉଠାଇବା ପାଇଁ ଅଧିକ ଭିଡ ପରିଲକ୍ଷିତ ହେଉଛି। ଜାନୁଆରୀ ୩ ତାରିଖରୁ ପୁନର୍ବାର ମରାମତି କାର୍ଯ୍ୟ ତ୍ୱରାନ୍ୱିତ ହେବ।
ଗତ ଡିସେମ୍ବର ୧୭ରୁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବହୁ ବ୍ୟବସ୍ଥା ସହିତ ବ୍ୟାପକ ପ୍ରସ୍ତୁତି ହୋଇଛି। ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଆକଳନ ମୁତାବକ ଆସନ୍ତା ୩ ମାସ ମଧ୍ୟରେ ମରାମତି କାର୍ଯ୍ୟ ଶେଷ ହେବ। ମରାମତି ପାଇଁ ଠାକୁରଙ୍କ ଅଳଙ୍କାର ପ୍ରଭୁତି ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ମରାମତି କାର୍ଯ୍ୟ ଶେଷ ପରେ ପୁଣି ଅଳଙ୍କାର ସବୁ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ କରାଯିବ। ଏହା ସହିତ ଗଣତି ମଣତି କାର୍ଯ୍ୟ ହେବ।