ଭୁବନେଶ୍ୱର: ଛତିଶଗଡ଼ରେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ପୁଅ ବିଶାଲ ଦାସ ଏବଂ ପଞ୍ଚାୟତ ପ୍ରତିନିଧିଙ୍କୁ ଅଟକ ରଖିବା ମାମଲାରେ ଏବେ ହସ୍ତକ୍ଷେପ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଛତିଶଗଡ଼ ସରକାରଙ୍କୁ ଚିଠି ଲେଖିଛନ୍ତି ନବୀନ । ଅଟକ ଥିବା ବିଶାଲ ଦାସ ଏବଂ ପଞ୍ଚାୟତ ପ୍ରତିନିଧିଙ୍କୁ ଛାଡ଼ିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଜରିଆରେ ଅନୁରୋଧ କରିଛନ୍ତି ବିଜେଡ଼ି ସଭାପତି ।
ନବୀନ ଚିଠିରେ ଲେଖି କହିଛନ୍ତି, ମହାସମୁନ୍ଦ ଜିଲ୍ଲା ସାରେଇପାଲି ଥାନାରେ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ସମେତ ସରପଞ୍ଚ ଏବଂ ପଞ୍ଚାୟତ ପ୍ରତିନିଧିଙ୍କୁ ପୋଲିସ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ମଧ୍ୟ ରହିଛନ୍ତି । ଶୁକ୍ରବାର ୧୦ଟା ୩୦ରେ କିରିମିରି ବ୍ଲକରେ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂରେ ସେମାନେ ଅଂଶ ଗ୍ରହଣ କରିପାରିଲେ ନାହିଁ । ତେଣୁ ଏଥିରେ ହସ୍ତକ୍ଷେପ କରି ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନବୀନ ଅନୁରୋଧ କରିଛନ୍ତି । ଏହା ସହିତ ଛତିଶଗଡ଼ ସୀମା ପାର ହେବା ବେଳେ ସେମାନଙ୍କର ସୁରକ୍ଷାର ମଧ୍ୟ ଧ୍ୟାନ ରଖିବାକୁ ମଧ୍ୟ ନବୀନ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୮ ତାରିଖରେ ଝାରସୁଗୁଡ଼ା ଲଇକେରା ଥାନାରେ ୩ ସମିତି ସଭ୍ୟ ଓ ଜଣେ ସରପଞ୍ଚଙ୍କ ସଂପର୍କୀୟ ଏକ ଅନ୍ଲାଇନ୍ ରିପୋର୍ଟ କରିଥିଲେ । ସେମାନେ ନିଖୋଜ ଥିବା ନେଇ ରିପୋର୍ଟ କରାଯାଇଥିଲା । ପୋଲିସ ସମ୍ବଲପୁର ଓ ଝାରସୁଗୁଡ଼ାରେ ପୋଲିସ ଛାନଭିନ କରିଥିଲା । ଗତକାଲି ଛତିଶଗଡ଼ ପୋଲିସ ମହାସମୁନ୍ଦ ଜିଲ୍ଲା ସାରେଇପାଲିରେ ଥାନାରେ ବିଶାଲ ଦାସ ଏବଂ କିଛି ପଞ୍ଚାୟତ ପ୍ରତିନିଧିଙ୍କୁ ଅଟକ ରଖା ଯାଇଥିଲା । ମାତ୍ର ବିଶାଲ ଦାସ କାହିଁକି ସମସ୍ତଙ୍କୁ ନେଇ ଛତିଶଗଡ଼ ନେଇକି ଯାଇଥିଲେ ସେ ନେଇ ଚର୍ଚ୍ଚା ଜୋର ଧରିଛି ।