ଢେଙ୍କାନାଳ : ଉପଦ୍ରବ କରୁଛନ୍ତି ହାତୀ ପଲ। ହାତୀଙ୍କ ପାଇଁ ରହିବା ହୋଇଗଲାଣି ମୁସ୍କିଲ୍। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସାହାଲା ଫରେଷ୍ଟ ବିଟ୍ ଅନ୍ତର୍ଗତ ଶକ୍ତିନଗର ସାହିରେ ଉପଦ୍ରବ କରୁଛନ୍ତି ୧୬ ଟିକିଆ ହାତୀପଲ। ଗାଁର ରାମ ହାଁସଦା ଏବଂ ସୁନ୍ଦର ହେମ୍ବ୍ରମଙ୍କର ୫ ବଖରା ଘର ଭାଙ୍ଗିବା ସହ ଘରେ ଥିବା ଚାଉଳ, ଧାନକୁ ଖାଇଥିଲେ ।
ସୂଚନା ଅନୁଯାୟୀ ରାତି ପ୍ରାୟ ୧୧ ଟା ସମୟରେ ଉଭୟଙ୍କ ପରିବାର ଖାଇ ପିଇ ଶୋଇବା ପରେ ଏକ ୧୬ ଟିକିଆ ହାତୀପଲ ଗାଁ ଭିତରେ ପଶି ଉତ୍ପାତ କରିଥିଲେ। ପ୍ରଥମେ ସୁନ୍ଦର ହେମ୍ବ୍ରମଙ୍କ ଘର ଭାଙ୍ଗି ସହ ଘରେ ଥିବା ଆସବାବପତ୍ର ଗୁଡିକ ନଷ୍ଟ କରିଥିଲେ। ଏବଂ ଘରେ ଥିବା ୫ ବସ୍ତା ଧାନ, ୨ ବସ୍ତା ଚାଉଳ ଖାଇ ଦେଇଥିଲେ। ତେବେ ହାତୀଙ୍କ ରଡି ଶୁଣି ପରିବାର ଲୋକେ ଜୀବନ ବିକଳରେ ଗାଁ ଭିତରକୁ ଚାଲି ଯାଇଥିଲେ। ହାତୀ ଆତଙ୍କକୁ ନେଇ ଗ୍ରାମବାସୀ ମାନେ ନିଜ ଘରେ ତାଟି କବାଟ ପକାଇଥିଲେ। ଖବର ପାଇ ବନ ବିଭାଗର ଟିମ ଗାଁରେ ପହଞ୍ଚି ଲୋକଙ୍କ କ୍ଷୟକ୍ଷତି ଆକଳନ କରିଥିଲେ। ତେବେ ତୁରନ୍ତ ବନ ବିଭାଗ ପକ୍ଷରୁ ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଅନ୍ୟ ପଟେ ଭୁବନ ବନାଞ୍ଚଳର ବିଭିର୍ଣ୍ଣ ଅଞ୍ଚଳରେ ମଧ୍ଯ ଏକ ଦନ୍ତାହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଯାହାଫଳରେ ଦନ୍ତାହାତୀ ହାବୁଡରେ ପଡି ଜଣେ ଯୁବକ ଗୁରୁତର ହୋଇ ହୋଇଛନ୍ତି । ଗୁରୁତର ଯୁବକ ଜଣକ ମୁରୁଗା ଗ୍ରାମର ଭ୍ରମର ବେହେରା ତାଙ୍କର ବୟସ ୪୫ ବର୍ଷ ବୋଲି ଜଣାପଡିଛି । ଭ୍ରମର ଶୁକ୍ରବାର ବଡି ଭୋର ସମୟରେ ନିଜ ବିଲକୁ ଯାଉଥିବା ସମୟରେ ଦନ୍ତା ଶୁଣ୍ଢରେ ଟେକି ଫୋପାଡି ଚାଲିଯାଇଥିଲା । ଗାଁ ଲୋକେ ଖବର ପାଇ ଭ୍ରମରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ ଏହାପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।