ଭୁବନେଶ୍ୱର: ପୋଲିସ ମିତ୍ର ତଥା ସଫେଇ କର୍ମଚାରୀ ସଂଘର ସଭାପତି ଭୁବନେଶ୍ଵର କେଦାରପଲ୍ଲୀ ସାହିର ସହଦେବ ନାୟକଙ୍କ ବିଭତ୍ସ ହତ୍ୟାକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିରୋଧୀ ବିଜେଡ଼ି ପ୍ରବାସୀ ଭାରତୀୟ ସମ୍ମିଳନୀ ଚାଲିଥିବାବେଳେ ଜାଣିଶୁଣି ହୀନ ରାଜନୀତି କରୁଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି । ୧୨ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସତ୍ୱେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡ଼ି । ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ବାବୁ ସିଂ । ସେ କହିଛନ୍ତି ଏ ହେଉଛି ଲୋକଙ୍କ ସରକାର, ଲୋକଙ୍କ ସାଥିରେ ସବୁବେଳେ ରହିଛି । ପ୍ରବାସୀ ଭାରତୀୟ ସମ୍ମିଳନୀ ସରିବା ପରେ ମୁଖ୍ୟମନ୍ତ୍ରୀ ନିଜେ ସହଦେବଙ୍କ ପରିବାର ସହିତ ସାକ୍ଷାତ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଧାୟକ ସିଂ ।
ବାବୁ ସିଂ କହିଛନ୍ତି, ସହଦେବଙ୍କ ପରିବାରକୁ ଆମେ ତାଙ୍କ ପୁଅ କିମ୍ବା ତାଙ୍କର ସହଧର୍ମିଣୀଙ୍କୁ ତାଙ୍କ ସ୍ୱାମୀ ଫେରାଇ ପାରିବୁ ନାହିଁ । କିନ୍ତୁ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି, ସେମାନଙ୍କୁ ଗିରଫ କରାଯାଇଛି ଏବଂ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତାଙ୍କ ପରିବାର ସହିତ ସରକାର ରହିଛନ୍ତି । ସହଦେବଙ୍କ ପତ୍ନୀଙ୍କ ଯୋଗ୍ୟତା ଅନୁଯାୟୀ ତାଙ୍କୁ ମଧ୍ୟ ଥଇଥାନ କରାଯିବ । ପ୍ରବାସୀ ଭାରତୀୟ ସମ୍ମିଳନୀ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କ ପରିବାର ବର୍ଗଙ୍କୁ ଭେଟିବେ ବୋଲି କହିଛନ୍ତି ବିଧାୟକ ।
ଅନ୍ୟପକ୍ଷରେ ଆଜି ସଫେଇ କର୍ମଚାରୀମାନେ ବିଏମସି କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଭାରତୀୟ ମଜଦୁର ସଂଘ ସହ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ମାମଲାର ତ୍ୱରିତ ନ୍ୟାୟ ସହିତ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି ।