ଭୁବନେଶ୍ୱର: ନୂଆବର୍ଷରେ ଆସିଲା କମିଶନରେଟ୍ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ । ସାମ୍ବାଦିକ ସମ୍ମିଳନୀ କରି ରିପୋର୍ଟ ପ୍ରକାଶ କଲେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ । କମିଶନର କହିଛନ୍ତି, ସାଧାରଣ ଲୋକଙ୍କ ସହଭାଗିତାରେ ଏଥର ହେବ ଅପରାଧ ନିୟନ୍ତ୍ରଣ । ନୂଆବର୍ଷରେ ନୂଆ ସଂକଳ୍ପ ସହ ଅପରାଧକୁ ନିୟନ୍ତ୍ରଣ କରିବାକୁ ଲୋକଙ୍କ ସହଭାଗିତା ଲୋଡିଛି କମିଶନରେଟ୍ ପୋଲିସ ।
ବାର୍ଷିକ ଅପରାଧିକ ରିପୋର୍ଟରେ ରହିଛି, ଭୁବନେଶ୍ୱରର ଅର୍ବାନ ପୋଲିସ ଜିଲ୍ଲାରେ ୨୦୨୩ରେ ୧୧ ହଜାର ୯୭୫ ମାମଲା ରୁଜୁ ହୋଇଥିବା ବେଳେ ୨୦୨୪ରେ ୧୪ ହଜାର ୪୧୬ କେସ୍ ରୁଜୁ ହୋଇଛି । ୨୦୨୩ରେ ୫୨ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିବା ବେଳେ, ୨୦୨୪ରେ ଏହା ବୃଦ୍ଧି ହୋଇ ୬୬ରେ ପହଁଚିଛି । ୨୦୨୪ରେ ଡକାୟତି, ଲୁଟ୍, ଚୋରୀ ଘଟଣା ପୂର୍ବପେକ୍ଷା କମିଛି । ସେହିପରି କଟକ ୟୁପିଡିରେ ୨୦୨୩ରେ ୭୮ ହତ୍ୟାକାଣ୍ଡ ହୋଇଥିବା ବେଳେ ୨୦୨୪ରେ ୮୯ଟି ହତ୍ୟା ହୋଇଛି ।
ସାଇବର ଅପରାଧ ରୋକିବା ଲାଗି ଲୋକଙ୍କୁ ସଚେତନ କରାଯାଇଛି । ଟୋଲ ଫ୍ରି ନମ୍ବର ୧୯୩୦ ଜାରି ହୋଇଛି । ଅନ୍ୟପଟେ ଟୁଇନ୍ ସିଟିରେ ବଢୁଥିବା ଟ୍ରାଫିକ୍ ସମସ୍ୟାକୁ ରୋକିବା ସହିତ ୨୦୨୫ରେ ଦୁର୍ଘଟଣା ହାର କମାଇବା କମିଶନରେଟ ପୋଲିସର ମୁଖ୍ୟ ପ୍ରୟାସ ହେବ ବୋଲି କହିଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ।