ଭୁବନେଶ୍ଵର: କେ ହରି ବାବୁ ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେ ରଘୁବର ଦାସଙ୍କ ସ୍ଥାନ ନେବେ। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେ ହରି ବାବୁ ୧୬ତମ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିରୁ ନିର୍ବାଚନ ଲଢି ଆନ୍ଧ୍ର ପ୍ରଦେଶର ବିଶାଖାପଟନମର ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଆନ୍ଧ୍ର ପ୍ରଦେଶ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଦାୟିତ୍ଵରେ ଥିଲେ। ୨୦୨୧ ଜୁଲାଇ ୬ରେ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ।
୧୯୫୩ ମସିହା ଜୁନ ୧୫ ତାରିଖରେ ମାଡ୍ରାସ ରାଜ୍ୟ(ଏବେ ଆନ୍ଧ୍ର ପ୍ରଦେଶ)ର ପ୍ରକାଶମ ଜିଲ୍ଲାର ଥିମାସମୁଦ୍ରମରେ ଜନ୍ମଗ୍ରହଣ କରିଥିଲେ କେ ହରି ବାବୁ। ସେ ଆନ୍ଧ୍ର ବିଶ୍ଵ ବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ୧୯୭୨ - ୭୩ ମସିହାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ କଲେଜରେ ଛାତ୍ର ସଂଘ ନିର୍ବାଚନରେ ସଂପାଦକ ଭାବରେ ନିର୍ବାଚିତ ହୋଇଥିଲେ। ୧୯୭୪-୭୫ ମସିହାରେ ସେ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଆନ୍ଦୋଲନରେ ଅଂଶଗ୍ରହଣ କରି ଜରୁରୀକାଳୀନ ସମୟରେ ଗିରଫ ହୋଇ ୬ ମାସ ଜେଲରେ ରହିଥିଲେ।
ସେ ୧୯୭୭ ମସିହାରେ ଜନତା ପାର୍ଟିର ଆନ୍ଧ୍ର ପ୍ରଦେଶର କାର୍ଯ୍ୟନିର୍ବାହୀ ସଦସ୍ୟ ଏବଂ ୧୯୭୮ ମସିହାରେ ଜନତା ଯୁବ ମୋର୍ଚ୍ଚାର ଆନ୍ଧ୍ର ପ୍ରଦେଶ ରାଜ୍ୟ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ।୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ହରି ବାବୁ ଭାରତୀୟ ଜନତା ପାର୍ଟିର ଆନ୍ଧ୍ରପ୍ରଦେଶ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଥିଲେ। ପୁଣି ୧୯୯୩ରୁ ୨୦୦୩ ମଧ୍ୟରେ ଆନ୍ଧ୍ର ପ୍ରଦେଶର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ୧୯୯୯ରେ ବିଶାଖାପାଟନମ୍ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୩ରେ ଆନ୍ଧ୍ରପ୍ରଦେଶ ବିଜେପିର ବିଧାନସଭାର ନେତା ଭାବେ ଚୟନ ହୋଇଥିଲେ। ୨୦୧୪ ମାର୍ଚ୍ଚରେ ସେ ବିଜେପିର ରାଜ୍ୟ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।