ନୂଆଦିଲ୍ଲୀ: ଦିଲ୍ଲୀର ନରେଲାଠାରେ ଏକ ନର୍ଦ୍ଦମା ସଫା କରୁଥିବା ବେଳେ ବିଷାକ୍ତ ଗ୍ୟାସ୍ ନିଶ୍ୱାସ ନେବାରୁ ଦୁଇ ଜଣ ସଫେଇ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ଏକ ସରକାରୀ ବିବୃତିରେ କୁହାଯାଇଛି ଯେ ପକେଟ-୬ସ୍ଥିତ ମନସା ଦେବୀ ଆପାର୍ଟମେଣ୍ଟ ନିକଟରେ ଶୁକ୍ରବାର ମଧ୍ୟାହ୍ନ ୧୨ଟା ୧୫ରୁ ସାଢ଼େ ୧୨ଟା ମଧ୍ୟରେ ଏହି ଘଟଣା ଘଟିଛି। ଦିଲ୍ଲୀ ପୁଲିସ ସୂଚନା ଅନୁଯାୟୀ ବିଜୟ ମୋଚି (୩୬) ଓ ନନ୍ଦୁ (୪୪) ନର୍ଦ୍ଦମା ଭିତରେ କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ସେମାନେ ଚେତା ହରାଇଥିଲେ। ବିଜୟ ମୋଚି ବେଗୁସରାଇର ଚିଲାର ଛକର ବାସିନ୍ଦା ହୋଇଥିବା ବେଳେ ନନ୍ଦୁ ମଧ୍ୟପ୍ରଦେଶର ଟିକମଗଡ଼ର ବାସିନ୍ଦା ଥିଲେ। ନରେଲାସ୍ଥିତ ମନସା ଦେବୀ ଆପାର୍ଟମେଣ୍ଟରେ ସଫେଇ ପାଇଁ ଉଭୟ ନର୍ଦ୍ଦମା ଭିତରକୁ ପଶିଥିଲେ।
ନର୍ଦ୍ଦମାରେ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସିବା ପରେ ଉଭୟ ସଫେଇ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ସୁପରଭାଇଜର ଅନୀଲ କୁମାର (୩୭) ନର୍ଦ୍ଦମା ଭିତରକୁ ଯାଇଥିଲେ, କିନ୍ତୁ ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ ସେ ମଧ୍ୟ ଗୁରୁତର ହୋଇ ପଡ଼ିଥିଲେ। ତିନିଜଣଙ୍କୁ ସତ୍ୟବାଦୀ ରାଜା ହରିଶ ଚନ୍ଦ୍ର ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ବିଜୟ ଓ ନନ୍ଦୁଙ୍କୁ ମୃତ ଘୋଷଣା କରିଥିଲେ।
ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ଅନୀଲ ଏବେ ବି ଚିକିତ୍ସିତ ହେଉଛନ୍ତି। ଏହି ଶ୍ରମିକମାନେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଏବଂ ସେମାନଙ୍କୁ ନର୍ଦ୍ଦମା ସଫେଇ ଦାୟିତ୍ବ ଦିଆଯାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି କହିଛି।
ସୂଚନାଯୋଗ୍ୟ, ୨୦୨୪ ଅକ୍ଟୋବରରେ ଦିଲ୍ଲୀର ସରୋଜିନୀ ନଗରରେ ଏକ ନର୍ଦ୍ଦମା ଟାଙ୍କି ସଫା କରୁଥିବା ବେଳେ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ଦୁଇ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ସଫେଇ କର୍ମଚାରୀଙ୍କ କହିବା ଅନୁଯାୟୀ, ଏହା ପ୍ରଥମ ଘଟଣା ନୁହେଁ। ସଫେଇ କର୍ମଚାରୀଙ୍କ ଜୀବନ ସରକାର କିମ୍ବା ଘରୋଇ କମ୍ପାନୀର ଠିକାଦାରଙ୍କ ପାଇଁ କୌଣସି ଚିନ୍ତାର ବିଷୟ ନୁହେଁ।
ଅଧିକ ପଢ଼ନ୍ତୁ: ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ