ଚଣ୍ଡିଗଡ଼: ଦିଲ୍ଲୀରେ ପରାଜୟର ପ୍ରଭାବ ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାରକୁ ସମ୍ପୂର୍ଣ୍ଣ ସକ୍ରିୟ କରିଛି ବୋଲି କୁହାଯାଇପାରିବ କି? ଶୁକ୍ରବାର ସରକାର ୩ଟି ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ୍ ମନ୍ତ୍ରୀ କୁଲଦୀପ ସିଂହ ଧାଲିୱାଲଙ୍କୁ ପ୍ରଶାସନିକ ସଂସ୍କାର ବିଭାଗରୁ ମୁକ୍ତ କରାଯିବା ସହ ସରକାରଙ୍କ ମାମଲା ପରିଚାଳନା କରୁଥିବା ଆଡଭୋକେଟ ଜେନେରାଲ ବିଭାଗର ସମସ୍ତ ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି ସରକାର। ୯ଟି ଜିଲ୍ଲାର ପୁଲିସ ମୁଖ୍ୟଙ୍କ ସମେତ ୨୧ ଜଣ ଆଇପିଏସ୍ ଅଫିସରଙ୍କୁ ବଦଳି କରାଯାଇଛି।
ପ୍ରଥମେ ଆଡଭୋକେଟ ଜେନେରାଲଙ୍କ ସମସ୍ତ ଓକିଲଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା, କିନ୍ତୁ ପରେ ଏହା ସ୍ପଷ୍ଟ ହୋଇଥିଲା ଯେ ସୋମବାର ସୁଦ୍ଧା କେବଳ ଏଜିଙ୍କ ଟିମ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ସମୁଦାୟ ୨୩୬ ଜଣିଆ ଟିମ୍ ମଧ୍ୟରୁ ୬୨ ଜଣ ଇସ୍ତଫା ଦେଇସାରିଛନ୍ତି। ସୁପ୍ରିମ୍କୋର୍ଟରେ ବିଚାର ହେବାକୁ ଥିବା ମାମଲା ପାଇଁ ଆଟର୍ଣ୍ଣି ଜେନେରାଲଙ୍କ ଟିମ୍ରୁ ୮ ଜଣଙ୍କୁ ନିଯୁକ୍ତ କରାଯାଇଛି, ଯେଉଁଥିରେ ୫ ଜଣ ଆଡଭୋକେଟ୍ ଅନ୍ ରେକର୍ଡ୍ ଏବଂ ୩ ଜଣ ଡେପୁଟି ଆଡଭୋକେଟ୍ ଜେନେରାଲ୍ ଅଛନ୍ତି।
ଆଡଭୋକେଟ ଜେନେରାଲ ଗୁରିନ୍ଦର ସିଂ ଗ୍ୟାରି କହିଛନ୍ତି ଯେ ସମସ୍ତଙ୍କ କାର୍ଯ୍ୟକାଳ ଫେବ୍ରୁଆରି ୧୦ରେ ଶେଷ ହୋଇଛି। ଓରିଏଣ୍ଟେସନ୍ ପରେ ସେମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବ। ଆସନ୍ତା ୧୫ ଦିନ ମଧ୍ୟରେ ଆଡଭୋକେଟ ଜେନେରାଲଙ୍କ ଏକ ନୂଆ ଟିମ୍ ଗଠନ କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, କ୍ୟାବିନେଟ୍ ମନ୍ତ୍ରୀ ଧାଲିୱାଲଙ୍କ ଠାରୁ ଧୀରେଧୀରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରତ୍ୟାହାର କରାଯାଇଛି। ପୂର୍ବରୁ ତାଙ୍କ ପାଖରେ କୃଷି ଓ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ବିଭାଗ ଥିବା ବେଳେ ଏବେ ତାଙ୍କ ପାଖରେ କେବଳ ଏନଆରଆଇ ବ୍ୟାପାର ବିଭାଗ ବାକି ରହିଛି।
ଅଧିକ ପଢ଼ନ୍ତୁ: ପ୍ରତିଶ୍ରୁତି ଅନୁଯାୟୀ ଦିଲ୍ଲୀରେ ମହିଳାଙ୍କୁ ମାସିକ ମିଳିବ ୨୫୦୦ ଟଙ୍କା