ନୂଆଦିଲ୍ଲୀ: ମହିଳା ସମୃଦ୍ଧି ଯୋଜନା ଆଳରେ ବିରୋଧୀ ଦଳ ଆମ୍ ଆଦମୀ ପାର୍ଟି (ଆପ୍) ଦିଲ୍ଲୀ ବିଜେପି ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହାକୁ ତୀବ୍ର ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳାମାନଙ୍କୁ ଏକ କିମ୍ବା ଦୁଇ ମାସ ପାଇଁ ପାଣ୍ଠି ପ୍ରଦାନ କରି ଏହି ଯୋଜନାବନ୍ଦ କରାଯିବ ନାହିଁ। ଏହାର ସ୍ଥାୟୀ ରୂପାୟନ ପାଇଁ ବ୍ୟବସ୍ଥା କରାଯାଉଛି, ଯେଉଁଥିପାଇଁ ଅନୁମୋଦନ ପାଇଁ ସମୟ ଲାଗୁଛି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ମାର୍ଚ୍ଚ ୮ ରେ ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ମହିଳାମାନେ ଏଥିରୁ ଉପକୃତ ହେବା ଆରମ୍ଭ କରିବେ ଏବଂ ସେମାନଙ୍କ ଆକାଉଣ୍ଟକୁ ୨୫୦୦ ଟଙ୍କା ଜମା ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଗତ ଶୁକ୍ରବାର ମହିଳା ସମୃଦ୍ଧି ଯୋଜନା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଯୋଜନା ଏକ କିମ୍ବା ଦୁଇ ମାସ ପାଇଁ ନୁହେଁ, ବରଂ ଜାରି ରଖିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ କୌଣସି ବାଧା ସୃଷ୍ଟି ହେବା ଉଚିତ୍ ନୁହେଁ। ମହିଳାମାନଙ୍କୁ ବିନା କୌଣସି ଅସୁବିଧାରେ ପ୍ରତି ମାସରେ ଆର୍ଥିକ ସହାୟତା ମିଳିବା ଉଚିତ୍। ଏଥିପାଇଁ ସମସ୍ତ ଦିଗ ଉପରେ ବିଚାର କରାଯାଉଛି।
ଯୋଜନାର କାର୍ଯ୍ୟକାରିତା ପାଇଁ ସରକାରୀ କୋଷାଗାରରେ ଉପଲବ୍ଧ ପାଣ୍ଠି ସମେତ ଅନ୍ୟାନ୍ୟ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ। ସରକାର ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଏକ ସ୍ଥାୟୀ ଏବଂ ଦୃଢ଼ ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି। ଆମର ଏକ ଦାୟିତ୍ୱ ଅଛି, ତେଣୁ ଆମେ ପ୍ରତ୍ୟେକ କାର୍ଯ୍ୟକୁ ସ୍ଥାୟୀ ଭାବରେ କରିବାକୁ ଚାହୁଁଛୁ। କେବଳ ଦେଖାଇବା ପାଇଁ କୌଣସି ପଦକ୍ଷେପ ନିଆଯିବ ନାହିଁ। ଯେଉଁ ଯୋଜନା ଆରମ୍ଭ ହେବ ତାହା କାର୍ଯ୍ୟକାରୀ ହେବ ବୋଲି ସରକାର ସୁନିଶ୍ଚିତ କରିବେ।
ବିଜେପିର ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦୋହରାଇଛନ୍ତି। ଏ ଦିଗରେ ସରକାର କାର୍ଯ୍ୟ ଆରମ୍ଭ କରିସାରିଛନ୍ତି ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଏଜେଣ୍ଡା ପୂରଣ ପାଇଁ ପ୍ରତ୍ୟେକ ବିଭାଗରେ ଏକ ଢାଞ୍ଚା ପ୍ରସ୍ତୁତ କରାଯାଉଛି। ଅଧିକାରୀମାନେ ସମସ୍ତ ଦିଗର ସମୀକ୍ଷା କରୁଛନ୍ତି ଏବଂ ବିକଶିତ ଢାଞ୍ଚା ଅନୁଯାୟୀ କାର୍ଯ୍ୟ ଆଗକୁ ବଢ଼ିବ। ଏଥିପାଇଁ ଅଧିକାରୀମାନଙ୍କ ସହ ବୈଠକ ମଧ୍ୟ ହୋଇଛି। ଦିଲ୍ଲୀବାସିନ୍ଦାଙ୍କ ସମସ୍ୟାର ସମାଧାନ ସହ ଦିଲ୍ଲୀର ବିକାଶ ପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ତାହା ଯେକୌଣସି ମୂଲ୍ୟରେ ପୂରଣ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।
ଅଧିକ ପଢ଼ନ୍ତୁ: ଚଣ୍ଡିଗଡ଼ରେ ‘କେନ୍ଦ୍ର ସରକାର-କୃଷକ ସଂଗଠନ’ର ହେବ ଗୁରୁତ୍ବପୂର୍ଣ୍ଣ ବୈଠକ