ମମତାଙ୍କ ରାଜ୍ୟରେ ଲହୁଲୁହାଣ ଆଇନଶୃଙ୍ଖଳା । ପଶ୍ଚିମବଙ୍ଗରେ ପଂଚାୟତ ନିର୍ବାଚନ ପାଇଁ ମତଦାନ ବେଳେ ହିଂସା । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ସତ ହେଲେ କେଉଁଠି ବୁଥ୍ କ୍ୟାପଚରିଂ, କେଉଁଠି ବୁଥ୍ ରିଗିଂ ସହ ଗୁଳିମାଡ଼, ହଣାକଟାରେ ପୋଲିଂ ବୁଥ ଭିତରେ ମୁଣ୍ଡ ଗଡ଼ିଛି । ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗତକାଲି ମୁର୍ଶିଦାବାଦ ଜିଲ୍ଲାରେ ଜଣେ କଂଗ୍ରେସ କର୍ମୀଙ୍କୁ ହତ୍ୟା କରାଯାଇଥିବା ବେଳେ କୁଚ୍ଚବେହାର ଜିଲ୍ଲାରେ ଗୁଳିମାଡ଼ରେ ୪ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ସେହିପରି ଜଣେ ବିଜେପି କର୍ମୀଙ୍କୁ ପୋଲିଂ ବୁଥ୍ ଭିତରେ ହିଁ ହତ୍ୟା କରାଯାଇଛି । ଖୁଲମଖୁଲା ପୋଲିଂ ବୁଥ୍ ଭିତରେ ଟିଏମସି କର୍ମୀମାନେ ଭଙ୍ଗାରୁଜା ସହ ଦମନଲୀଳା ଚଳାଇଛନ୍ତି । ପୋଲିଂ ବାକ୍ସ ନେଇ ଛୁ ମାରିଛନ୍ତି ମମତାଙ୍କ ଦଳୀୟ କର୍ମୀ । ହେଲେ ସବୁ ଦେଖି ହାତ ଟେକି ଦେଇଛି ପୋଲିସ । ଏଯାଏଁ ପ୍ରାୟ ୨୦ରୁ ଅଧିକ ଜଣଙ୍କର ନିର୍ବାଚନ ଓ ପ୍ରାକ୍-ନିର୍ବାଚନୀ ହିଂସାରେ ଜୀବନ ଗଲାଣି । ଅନେକ ଜାଗାରେ ଲୋକେ ଭୋଟିଂକୁ ବୟକଟ୍ କରିଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟରେ ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ଯବାନ ମୁତୟନ ହୋଇଛନ୍ତି । ଜୁଲାଇ ୧୧ ତାରିଖରେ ଘୋଷଣା ହେବ ନିର୍ବାଚନ ଫଳାଫଳ ।